Sat. Jul 4th, 2026

ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ପଦକ୍ଷେପ : ସେନା ମୁଖ୍ୟ ଏମ୍‌ଏମ୍‌ ନରୱାଣେ

195 Views

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରକୁ ଦେଶର ବାକି ଅଞ୍ଚଳ ସହ ସଂଯୋଗ କରିବା ନିମନ୍ତେ ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ପଦକ୍ଷେପ ବୋଲି ବୁଧବାର ଦିନ ସେନା ମୁଖ୍ୟ ଏମ୍‌ଏମ୍‌ ନରୱାଣେ କହିଛନ୍ତି।

୭୨ତମ ସେନା ଦିବସ ପରେଡ୍‌ରେ ଭାଷଣ ଦେଇ ସେନା ମୁଖ୍ୟ ଏମ୍‌ଏମ୍‌ ନରୱାଣେ କହିଲେ, ଧାରା ୩୭୦ ଉଚ୍ଛେଦ ହେଉଛି ଗୋଟାଏ ଐତିହାସିକ ପଦକ୍ଷେପ, ଯାହା ଜମ୍ମୁ ଓ କଶ୍ମୀରକୁ ଦେଶର ବାକି ଅଞ୍ଚଳ ସହ ସଂଯୁକ୍ତ କରିବ। ଏହା ଉଚ୍ଛେଦ ହେବାରୁ ଆମର ପଶ୍ଚିମ ପଡ଼ୋଶୀ (ପାକିସ୍ତାନ) ସହ ଛାୟାଯୁଦ୍ଧ ବ୍ୟାହତ ହୋଇଛି। ସମ୍ବିଧାନର ଧାରା ୩୭୦ ପୂର୍ବତନ ରାଜ୍ୟ ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିଲା।

ସେନା ଆତଙ୍କବାଦକୁ ସହ୍ୟ କରିବ ନାହିଁ ବୋଲି ପୁଣି ଥରେ କହିବା ସହ ସେନା ମୁଖ୍ୟ ଏମ୍‌ଏମ୍‌ ନରୱାଣେ କହିଲେ, ଆତଙ୍କବାଦକୁ ଭାରତୀୟ ସେନା ଆଦୌ ସହ୍ୟ କରିବ ନାହିଁ। ସେ ଭଳି କାର୍ଯ୍ୟକଳାପର ସମୁଚ୍ଚିତ ପ୍ରତ୍ୟୁତ୍ତର ଦେବାକୁ ଆମ ପାଖରେ ବହୁ ବିକଳ୍ପ ରହିଛି।

ସେନା ମୁଖ୍ୟ ଆହୁରି କହିଲେ ଯେ ଭବିଷ୍ୟତର ଯୁଦ୍ଧ ଲାଗି ସେନାବାହିନୀକୁ ପ୍ରସ୍ତୁତି କରିବାକୁ ଆମେ ପ୍ରତ୍ୟକ୍ଷ ଓ ପରୋକ୍ଷ ଯୁଦ୍ଧକୌଶଳ ଉପରେ ଆମର ସାମର୍ଥ୍ୟ ବଢ଼ାଇବା ଉପରେ ଧ୍ୟାନ ଦେଉଛୁ।

ବୁଧବାର ଦିନ ସେନା ଦିବସର ଭବ୍ୟ ପରେଡ୍‌ରେ ସେନା ମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରୱାଣେ, ବାୟୁସେନା ମୁଖ୍ୟ ମାର୍ସାଲ୍‌ ଆର୍‌କେଏସ୍‌ ଭଦୌରିଆ, ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ ଏବଂ ସିଡିଏସ୍‌ ଜେନେରାଲ୍‌ ବିପିନ ରାଓ୍ଵତ ଉପସ୍ଥିତ ଥିଲେ।

ପ୍ରତିବର୍ଷ ଜାନୁଆରି ୧୫ ତାରିଖରେ ସେନା ଦିବସ ପାଳନ ହୁଏ। ୧୯୪୯ ମସିହାର ଏହି ଦିନ ଭାରତର ଶେଷ ବ୍ରିଟିସ୍‌ ସେନା ମୁଖ୍ୟ ଜେନେରାଲ୍‌ ଫ୍ରାନ୍‌ସିସ୍‌ ବଚର୍‌ଙ୍କ ଠାରୁ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ କେ ଏମ୍‌ କାରିଆପ୍ପା ଭାରତୀୟ ସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

By amfnews

Related Post