Sat. Apr 25th, 2026

ଧନତେରସ ପାଇଁ ଓଡ଼ିଶା ବଜାରରେ ୧୨ କ୍ବିଣ୍ଟାଲ ସୁନା

174 Views

ଭୁବନେଶ୍ବର : ଧନତେରସ ଲାଗି ସୁନା ବଜାର ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟକୁ ପାଖାପାଖି ୧୨ କ୍ବିଣ୍ଟାଲ ସୁନା ବ୍ୟବସାୟୀମାନେ ଆଣିଥିବା କୁହାଯାଉଛି। ଗତବର୍ଷ ଧନତେରସ୍ ପାଇଁ ମଧ୍ୟ ସମାନ ପରିମାଣର ସୁନା ଆସିଥିଲା ଓ ସାରା ରାଜ୍ୟରେ ୧୪୦ କୋଟି ଟଙ୍କାରୁ ଅଧିକ କାରବାର ହୋଇଥିଲା। ଚଳିତବର୍ଷ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଗହଣା‌ ଦୋକାନଗୁଡ଼ିକ ମନଲୋଭା ଅଫର ଘୋଷଣା କରିଥିବାବେଳେ ନୂଆ ନୂଆ ଡିଜାଇନର ଗହଣା ଆଣିଛନ୍ତି। ଅଧିକାଂଶ ବ୍ୟବସାୟୀ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ରିହାତି ଏବଂ ହୀରା ଗହଣା ଉପରେ ରିହାତି ଘୋଷଣା କରିଛନ୍ତି।

ଏ ସଂକ୍ରାନ୍ତରେ ରୀତା ଆଣ୍ଡ୍ ସନ୍ସର ମୁଖ୍ୟ ଅଶ୍ବିନୀ ପାତ୍ର କୁହନ୍ତି, ଗ୍ରାହକମାନେ ଦୁଇ ତିନି ମାସ ହେଲା ସୁନା ନ କିଣି ଧନତେରସ୍‌ ଦିନକୁ ଅପେକ୍ଷା କରି ରହିଛନ୍ତି। ଏହାବ୍ୟତୀତ ଆଗାମୀ କିଛିଦିନ ପରେ ବାହାଘର ସିଜନ୍ ଆରମ୍ଭ ହେବାକୁ ଯାଉଛି। ତେଣୁ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ବି ରହିଛି। ଫଳରେ ଗ୍ରାହକମାନେ ଧନତେରସରେ ଅଧିକ ଗହଣା କିଣିବେ ବୋଲି ଆଶା ରହିଛି।

ସେହିଭଳି ଶୁଭ୍‌ ଜୁଏଲର୍ସର ମ୍ୟାନେଜର ମନୋଜ ମେହଟ୍ଟା କୁହନ୍ତି, ଚଳିତବର୍ଷ ଧନତେରସରେ ବିକ୍ରି ବହୁତ ଭଲ ହେ‌ବ ବୋଲି ଆଶା ରହିଛି। ସ୍ବାଭାବିକ ଦିନ ତୁଳ‌ନାରେ ଧନତେରସରେ ବିକ୍ରି ପ୍ରାୟ ୧୦ ଗୁଣ ଅଧିକ ରହିବା ନେଇ ସେ ଆଶା ରଖିଛନ୍ତି। ଆଜି ଭୁବନେଶ୍ବରରେ ସୁନା ଦାମ ୧୦ ଗ୍ରାମ ପିଛା ୩୭୬୦୦ ଟଙ୍କା ପାଖାପାଖି ରହିଥିବାବେଳେ ରୁପା କେଜିପିଛା ଦାମ ୪୬୯୦୦ ଟଙ୍କା ପାଖାପାଖି ରହିଛି।

By amfnews

Related Post