Tue. Sep 15th, 2026

ଦୁର୍ଦ୍ଦାନ୍ତ ସଂଗ୍ରାମକୁ ଗିରଫ କଲା ଏସ୍‌ଟିଏଫ୍‌ : ପୁରୀ, ଅନୁଗୁଳ ଓ ଭୁବନେଶ୍ବରରେ ରହିଛି ଏକାଧିକ ହତ୍ୟା ଓ ଡକାୟତି ମାମଲା

399 Views

ଭୁବନେଶ୍ବର : ପୁରୀ, ଭୁବନେଶ୍ବର ଓ ଅନୁଗୁଳରେ ଏକାଧିକ ହତ୍ୟା ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚର ଏସ୍‌ଟିଏଫ୍‌। ଅଭିଯୁକ୍ତ ହେଉଛି ପୁରୀ ରାମଚଣ୍ଡୀ ଥାନା ଅଞ୍ଚଳର ସଂଗ୍ରାମ କେଶରୀ ସାମନ୍ତରାୟ। ଆଜି ଭୋର୍‌ରେ ରବି ଟକିଜ୍‌ ଅଞ୍ଚଳରେ ଚଢ଼ଉ କରି ଏସ୍‌ଟିଏଫ୍‌ ତାକୁ ଗିରଫ କରିଛି। ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟରୁ ତା ନାଁରେ ଜାମିନ ବିହୀନ ପରୱାନା ଜାରି ହୋଇଥିଲା। ୨୦୧୫ ମସିହାରୁ ସେ ଫେରାର ଥିଲା। ପୁରୀ ରାମଚଣ୍ଡୀ ଥାନାରେ ତା ନାମରେ ୨ଟି ଜାମିନ ବିହୀନ ପରୱାନା ଜାରି ହୋଇଥିବା ବେଳେ ସେ ଏକ ଆନ୍ତଃ ଜିଲ୍ଲା ଡକାୟତି ଦଳର ମୁଖ୍ୟ ଥିଲା। ଅନୁଗୁଳରେ ଆଲୁମିନିୟମ ବୋଝେଇ ଟ୍ରକ୍‌କୁ ହରଣଚାଲ କରିବା ସହ ଚାଳକକୁ ହତ୍ୟା କରିବା ଅଭିଯୋଗରେ ତା ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ପୁରୀରେ ଡକାୟତି ସହ ହତ୍ୟାକାଣ୍ଡ ଓ ଭୁବନେଶ୍ବରରେ ହତ୍ୟାକାଣ୍ଡ ମାମଲାରେ ସଂଗ୍ରାମ ଅଭିଯୁକ୍ତ ଥିଲା। ଅନୁଗୁଳରେ ଅପରାଧ ଘଟାଇ ସେ ପୁରୀ ଚାଲି ଯାଉଥିବା ବେ‌ଳେ ପୁରୀରେ ଅପରାଧ ଘଟାଇ ଭୁବନେଶ୍ବର ପଳାଇ ଆସୁଥିଲା। ଏଠାରୁ ସେ ଅପରାଧ ଗ୍ୟାଙ୍ଗ୍‌କୁ ଚଳାଉଥିଲା। ଟ୍ରକ୍‌ ହରଣଚାଲ କରିବା ପରେ ଚାଳକକୁ ଭୟଭୀତ କରାଇ ଆଲୁମିନିୟମ୍‌ ହଡ଼ପ କରି ନେଉଥିଲା। ଚାଳକ ସହଯୋଗ ନ କଲେ ତାକୁ ହତ୍ୟା କରାଯାଉଥିଲା। ଏଭଳି ୭ ବର୍ଷ ଧରି ଅପରାଧ ଘଟାଇବା ପରେ ୪ ବର୍ଷ ତଳୁ ତାକୁ ପୁଲିସ ଖୋଜୁଥିଲା। ଏହା ସହିତ ସେ କେତେକ ଡକାୟତି ମାମଲାରେ ସମ୍ପୃକ୍ତ ଥିଲା। ଦୀର୍ଘ ଦିନ ଫେରାର ରହିବା ପରେ ଜାମିନ ବିହୀନ ପରୱାନା ଜାରି ହୋଇଥିଲା। ଅଧିକ ତଦନ୍ତ ପାଇଁ ସଂଗ୍ରାମକୁ ରାମଚଣ୍ଡୀ ଥାନାକୁ ହସ୍ତାନ୍ତର କରାଯିବ। ଏହାବ୍ୟତୀତ ଏହି ଗ୍ୟାଙ୍ଗ୍ ଚଳାଉଥିବା ଅନ୍ୟ ଅପରା‌ଧୀମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ଟିଏଫ୍ ସୂଚନା ଦେଇଛି।

By amfnews

Related Post