Sun. Apr 26th, 2026

ଦୁବାଇ-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ ଧର୍ମେନ୍ଦ୍ର ଲେଖିଲେ ଚିଠି

179 Views

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇକୁ ସିଧାସଳଖ ବିମାନ ଉଡାଣ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି | ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି | ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବହୁ ଦିନ ଧରି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡାଣ ପାଇଁ ଦାବି ହୋଇଆସୁଛି | ତେଣୁ ଏ ବାବଦରେ କିଛି ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି | ଏଠାରେ ସୂଚନା ଥାଉ କି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏ ବାବଦରେ ଚିଠି ଲେଖିଥିଲେ ।

ଏୟାର ଇଣ୍ଡିଆ କିମ୍ବା ଅନ୍ୟ ଏୟାରଲାଇନ୍ସକୁ ଏହି ରୁଟ୍‌ରେ ବିମାନ ସେବା ଆରମ୍ଭ କରିବା ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଥିଲେ ଯେ ରାଜ୍ୟରେ ଶିଳ୍ପ ପାଇଁ ପୁଞ୍ଜି ନିବେଶ ଓ ପର୍ଯ୍ୟଟକଙ୍କ ଆଗମନ ବଢ଼ିଥିବାରୁ ରାଜ୍ୟ ଭିତରୁ ଦୁବାଇ ଓ ମଧ୍ୟପ୍ରାଚ୍ୟ ଦେଶକୁ ଯାତାୟତ ବୃଦ୍ଧି ପାଇଛି। ଅନ୍ୟପଟେ ସେସବୁ ଦେଶରୁ ବହୁ ଲୋକ ଓଡ଼ିଶା ଆସୁଛନ୍ତି। ଏହାକୁ ଲକ୍ଷ୍ୟ ରଖି ଅନେକ ଅନ୍ତର୍ଜାତୀୟ ବିମାନ କମ୍ପାନି ଭୁବନେଶ୍ବରରୁ ଦୁବାଇକୁ ବିମାନ ସେବା ଆରମ୍ଭ କରିବାକୁ ଆଗ୍ରହ ଦେଖାଇଛନ୍ତି। ହେଲେ ବିମାନ ଅବତରଣ ଜନିତ ଅନୁମତି ନଥିବାରୁ ଭୁବନେଶ୍ବରରୁ ବିମାନ ସେବା ଆରମ୍ଭ କରିପାରୁନାହାନ୍ତି।

ଖାଲି ସେତିକି ନୁହେଁ, ଯଦିଓ ଭୁବନେଶ୍ବରରୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଏୟାର ଇଣ୍ଡିଆ ନୂଆଦିଲ୍ଲୀ ଭାୟା ହୋଇ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଉଛି ଏହାଦ୍ବାରା କିନ୍ତୁ ପ୍ରକୃତ ସମସ୍ୟାର ସମାଧାନ ହେଉନି। ଯାତ୍ରୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବା ସହ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଭୁବନେଶ୍ବର- ଦୁବାଇ ମଧ୍ୟରେ ବହୁ ଯାତ୍ରୀ ଯାତାୟତ କରୁଥିବାରୁ ଏହି ରୁଟ୍‌ରେ ସିଧା ବିମାନ ଉଡ଼ାଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

 

By amfnews

Related Post