Sun. Oct 18th, 2026

ଦିଲ୍ଲୀ ହିଂସାର ଶୁଣାଣି କରୁଥିବା ବିଚାରପତିଙ୍କ ବଦଳି

307 Views

ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ. ମୁରଲିଧରଙ୍କ ବଦଳି ହୋଇଛି। ହରିଆଣା ଏବଂ ପଞ୍ଜାବ ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଛି। ବୁଧବାର ହିଂସା ମାମଲାର ଶୁଣାଣି କରୁଥିବା ବେଳେ ଜଷ୍ଟିସ ମୁରଲୀଧର ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା କରିଥିଲେ। ହେଲେ ଏହି ବଦଳି ଦିଲ୍ଲୀ ହିଂସା ମାମଲାର ଶୁଣାଣି ସହିତ କୌଣସି ସମ୍ପର୍କ ନାହିଁ। କାରଣ ଜଷ୍ଟିସ ମୁରଲିଧରଙ୍କ ବଦଳି ପାଇଁ ଫେବୃଆରୀ ୧୨ ତାରିଖରେ ସୁପ୍ରିମକୋର୍ଟଙ୍କ କଲେଜିୟମ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଜଷ୍ଟିସ ମୁରଲିଧରଙ୍କ ବଦଳିକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସ ଏ ବୋବଡ଼େଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ମୁରଲିଧରଙ୍କୁ ବଦଳି କରିଛନ୍ତି। ଏବେ ସେ ହରିଆଣା ଏବଂ ପଞ୍ଜାବ ହାଇକୋର୍ଟରେ ବିଚାରପତି ଭାବରେ ଦାୟିତ୍ୱ ସମ୍ଭାଳିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଜଷ୍ଟିସ ମୁରଲୀଧର ୨୯ ମେ ୨୦୦୬ରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ହୋଇଥିଲେ। ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜଷ୍ଟିସ ମୁରଲିଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଉଥିଲେ।

ସୂଚନାଯୋଗ୍ୟ, କଲେଜିୟମ ବୈଠକରେ ଜଷ୍ଟିସ ମୁରଲିଧରଙ୍କ ବଦଳି ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ଏହାକୁ ବିରୋଧ କରିଥିଲା ହାଇକୋର୍ଟ ଆସୋସିଏସନ।

By amfnews

Related Post