Sun. Aug 23rd, 2026

ତେଲେଙ୍ଗାନାରେ ଶୀଘ୍ର ନିର୍ବାଚନର ସଙ୍କେତ, ରବିବାର ବିଧାନସଭା ଭଙ୍ଗ କରି ପାରନ୍ତି ମୁଖ୍ୟମନ୍ତ୍ରୀ

317 Views

ହାଇଦ୍ରାବାଦ, ସେପ୍ଟେମ୍ବର୦୧:

ତେଲେଙ୍ଗାନାରେ ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ନେଇ ସ୍ପଷ୍ଟ ସଙ୍କେତ ମିଳିଛି। କୁହାଯାଉଛି ଯେ ରବିବାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବିଧାନସଭା ଭଙ୍ଗ କରିବାର ଘୋଷଣା କରି ଶୀଘ୍ର ନିର୍ବାଚନ କରିବାର ନିର୍ଣ୍ଣୟ ନେଇ ପାରନ୍ତି। ଏଠାରେ କହି ରଖୁଛୁ ଯେ ରବିବାର  ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ପକ୍ଷରୁ ଭବ୍ୟ ରାଲିର ଆୟୋଜନ କରାଯାଇଛି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ଏହି ରାଲିରେ ବିଧାନସଭା ନିର୍ବାଚନକୁ ନେଇ ମହତ୍ଵପୂର୍ଣ୍ଣ ଘୋଷଣା କରି ପାରନ୍ତି। ଯାହାକୁ ମୁଖ୍ୟମନ୍ତ୍ରୀ ରାଓଙ୍କ ମାଷ୍ଟର ଷ୍ଟ୍ରୋକ ହେବ  ବୋଲି କୁହାଯାଉଛି।

ଟିଆରଏସ ନେତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ରବିବାର କ୍ୟାବିନେଟ୍ ବୈଠକରେ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ପାର୍ଟି ନେତାଙ୍କ ଏହା ମଧ୍ୟ କହିବାର କଥା ଯେ ବୈଠକ ପରେ ହେବାକୁ ଥିବା ରାଲିରେ ମୁଖ୍ୟମନ୍ତ୍ରୀ ବିଧାନସଭା ନିର୍ବାଚନ ନେଇ ଏହାର ଘୋଷଣା କରି ପାରନ୍ତି।

କୁହାଯାଉଛି ଯେ ବୈଠକ ପରେ କ୍ୟାବିନେଟ୍ ବିଧାନସଭା ଭଙ୍ଗ କରିବାର ପ୍ରସ୍ତାବ ପାରିତ କରି ଏହାର ପତ୍ର ରାଜ୍ୟପାଳ ଇ.ଏସ.ଏଲ ନରସିମହନଙ୍କୁ ଦେଇ ପାରନ୍ତି। ଏହା ପରେ ଯଦି ନିର୍ବାଚନ ଆୟୋଗ ସହମତ ହୁଅନ୍ତି ତେବେ ଅନ୍ୟ ତିନି ରାଜ୍ୟ ସହିତ ଡିସେମ୍ବରରେ ସାଧାରଣ ନିର୍ବାଚନ ହୋଇ ପାରିବ।

ଉଲ୍ଲେଖଯୋଗ୍ୟ ଗତ କିଛି ସପ୍ତାହ ହେବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ  ସଙ୍କେତ ଦେଇଥିଲେ ଯେ ବିଧାନସଭା ନିର୍ବାଚନ ସମୟ ପୂର୍ବରୁ କରାଯାଇ ପାରିବ। ସେ ପୂର୍ବରୁ ମଧ୍ୟ  ଘୋଷଣା କରିଥିଲେ ଯେ ପାର୍ଟି ସେପ୍ଟେମ୍ବରରେ ପ୍ରାର୍ଥୀ ଘୋଷଣା କରିବ। କୁହାଯାଉଛି ଯେ ଟିଆରଏସ ରବିବାର ହେବାକୁ ଥିବା ଭବ୍ୟ ରାଲିରେ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ ମଧ୍ୟ କରିବ।

By amfnews

Related Post