Fri. Apr 24th, 2026

ତେନ୍ତୁଳିପଦର-ହରଭଙ୍ଗା ରାସ୍ତା କାମ ନିମ୍ନମାନର!

240 Views

ବୌଦ୍ଧ : ସମୀକ୍ଷା ଚାଲିଛି। ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ସଚିବ ଓ ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀଙ୍କୁ ତାଗିଦ୍‌ କରୁଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଆରମ୍ଭ ଓ ଶେଷ କରୁ ନଥିବା ଏବଂ ଯୋଜନାର ନିୟମ ଅନୁଯାୟୀ କାମ ନହେଲେ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଉଛି। ତଥାପି ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ନାହିଁ। ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତା ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇ ପାରୁ ନାହିଁ। ଖାଲ ଢିପ ରାସ୍ତାରେ ଜନସାଧାରଣ ଯାତାୟାତ କରୁଥିବାରୁ ବାରମ୍ବାର ଦାବି ପରେ ସଡ଼କ ନିର୍ମାଣ ହେଉଛି। ମାତ୍ର ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟନ୍ତ ନିମ୍ନ ମାନର କାମ କରାଯାଇ ଅର୍ଥ ବାଟମାରଣା କରାଯାଉଛି ବୋଲି ଅଭିଯୋଗ ହେଉଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା

ବ୍ଲକ ଅନ୍ତର୍ଗତ ଜଗନ୍ନାଥ ସଡ଼କର ଧଳପୁର ତେନ୍ତୁଳିପଦର ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ୧୪କିମି ରାସ୍ତାର ଉନ୍ନତୀକରଣ କରଯାଇଛି। ଏଥିପାଇଁ ପିଏମଜିଏସୱାଇରେ ୮କୋଟି ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ସମ୍ପୃକ୍ତ ଠିକାଦାର ଅତ୍ୟନ୍ତ ନିମ୍ନ ମାନର କାମ କରିବା ଯୋଗୁଁ  କାମ ନସରୁଣୁ ନବ ନିର୍ମିତ ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏନେଇ ଗ୍ରାମବାସୀ ବୌଦ୍ଧ ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ସହ ନିର୍ମାଣ କାର୍ଯ୍ୟର ମାନ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ପ୍ରକାଶ ଥାଉକି ଜଗନ୍ନାଥ ସଡ଼କ ଦେଇ ମୁଖ୍ୟତଃ ଯାତାୟାତ କରିବା ପାଇଁ ଧଳପୁର, ସଙ୍କୁଲେଇ, ହରଭଙ୍ଗା, ଛତ୍ରଙ୍ଗ, କୁଶଙ୍ଗ, ମହାଲ୍ଲିକପଡା, ତଳଗାଁ ପଞ୍ଚାୟତ ସମେତ ଆଖପାଖର ଅନେକ ପଞ୍ଚାୟତ ଲୋକେ ନିର୍ଭର କରି ଆସୁଛନ୍ତି। ମହାନଦୀରେ ନିର୍ମାଣାଧୀନ ଧଳପୁର ସେତୁ ସମ୍ପୂର୍ଣ୍ଣ ହେଲେ  ଜଗନ୍ନାଥ ସଡକ ଉକ୍ତ ସେତୁକୁ ସଂଯୋଗ କରୁଥିବାରୁ ଏହି ସଡ଼କ ଅଧିକ ଗୁରୁତ୍ୱ ବହନ କରୁଛି। ନିର୍ମାଣରେ ଅନିୟମିତତା ବରଦାସ୍ତ କରାଯିବ ନାହିଁ ବୋଲି ଅରୂପା ଦୀପ ଓ ଅନ୍ୟ ଗ୍ରାମବାସୀ ପ୍ରକାଶ କରିଛନ୍ତି।

By amfnews

Related Post