Wed. Sep 2nd, 2026

ତୁର୍କୀ ଉପରେ କଟକଣା ଲଗାଇଲା ଆମେରିକା, ଟ୍ରମ୍ପ ଦେଲେ ଖୋଲା ଧମକ

285 Views

ୱାଶିଂଟନ୍‌  : ସିରିଆରେ ଆମେରିକାର ସହଯୋଗୀ ଭାବେ କାର୍ଯ୍ୟ କରୁଥିବା କୁର୍ଦ୍ଦ ଯୋଦ୍ଧାଙ୍କ ଉପରେ ଆକ୍ରମଣ କରୁଥିବା ତୁର୍କୀ ଉପରେ ଆଜି ୱାଶିଂଟନ କଟକଣା ଲଗାଇଛି। ଆମେରିକାର ନାଟୋ ପାର୍ଟନର ତୁର୍କୀ ସିରିଆରେ ଆକ୍ରମଣ କରି ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇଛି ଏବଂ ଆଇଏସ୍‌ଆଇଏ ବିଦ୍ରୋହୀଙ୍କୁ ଖଲାସ କରିବାକୁ ଚେଷ୍ଟା କରୁଛି ବୋଲି ୱାଶିଂଟନ ପକ୍ଷରୁ କୁହାଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ତୁର୍କୀକୁ ଖୋଲାଖୋଲି ଭାବେ ଏଭଳି କାର୍ଯ୍ୟକୁ ବନ୍ଦ ନ କଲେ, ଏହାର ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି। ସିରିଆର ନର୍ଥଇଷ୍ଟର୍ଣ୍ଣ ପ୍ରଦେଶରେ ଆଇଏସ୍‌ଆଇଏସ୍‌ ସହ ଲଢ଼େଇ କରିବାକୁ କୁର୍ଦ୍ଦ ସେନା ଆମେରିକାକୁ ନିମନ୍ତ୍ରଣ କରିଥିଲା। ଆମେରିକା କୁର୍ଦ୍ଦ ସେନା ସହ ମିଶି ଆଇଏସ୍‌ ଆତଙ୍କବାଦୀଙ୍କ ମୂଳପୋଛ କରିଥିଲା।

ଏବେ ଆମେରିକା ସୈନ୍ୟ ସେଠାରୁ ସ୍ୱଦେଶ ଫେରି ଆସିଛନ୍ତି। ଏହାର ସୁଯୋଗ ନେଇ ତଥା ଉକ୍ତ ସ୍ଥାନରେ ଶରଣାର୍ଥୀଙ୍କୁ ଥଇଥାନ କରିବା ପାଇଁ ତୁର୍କୀ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ତୁର୍କୀ କୁର୍ଦ୍ଦ ସେନାଙ୍କ ଉପରେ ଘନଘନ ଆକ୍ରମଣ କରିବାରେ ଲାଗିଛି। ନିଜ ସହଯୋଗୀଙ୍କୁ ଏଭଳି ସ୍ଥିତିରେ ଆମେରିକା ସେଠାରେ ଏକାକୀ ଛାଡ଼ି ଦେଇ ଆସିବାକୁ ଅନେକ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ।

ଏହାପରେ ଏକ ବିବୃତି ଜାରି କରି ଟ୍ରମ୍ପ କହିଛନ୍ତି, “ତୁର୍କୀ ଅର୍ଥନୀତିକୁ ଧ୍ୱଂସ କରିଦେବାକୁ ମୁଁ ପୂରା ପ୍ରସ୍ତୁତ ରହିଛି। ଆଗକୁ ଯଦି ତୁର୍କୀର ନେତାମାନେ ଏଭଳି ବିପଦଜନକ ଖେଳ ଜାରି ରଖିବେ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ। ବର୍ତ୍ତମାନ ମୁଁ ତୁର୍କୀ ଓ ଆମେରିକା ମଧ୍ୟରେ ହେବାକୁ ଥିବା ୧୦୦ ବିଲିୟନ ଡଲାର ଟ୍ରେଡ୍ ଡିଲ ଆଲୋଚନାକୁ ରଦ୍ଦ କରୁଛି। ସେହିପରି ତୁର୍କୀର ଷ୍ଟିଲ ଉପରେ ୫୦% ଟାରିଫ ମଧ୍ୟ ଲାଗୁ କରୁଛି।”

ଆମେରିକାର କୋଷାଧ୍ୟକ୍ଷ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆମେରିକା ତୁର୍କୀର ପ୍ରତିରକ୍ଷା, ଆଭ୍ୟନ୍ତରୀଣ ଓ ଶକ୍ତି ବିଭାଗର ମନ୍ତ୍ରୀଙ୍କ ଉପରେ କଟକଣା ଲାଗୁ କରିଛି। ଆମେରିକାରେ ଥିବା ସେମାନଙ୍କର ସମ୍ପତ୍ତିକୁ ଫ୍ରିଜ୍‌ କରାଯାଇଛି। ଯଦି କୌଣସି ଆମେରିକାବାସୀ ସେମାନଙ୍କ ସହ ନେଣଦେଣ କରିବେ, ତା’ହେଲେ ଏହାକୁ ଅପରାଧ ଭାବେ ବିବେଚନା କରାଯିବ।

ଆମେରିକାର ଉପ ରାଷ୍ଟ୍ରପତି ମାଇକେଲ ରିଚାର୍ଡ ପେନ୍ସ କହିଛନ୍ତି, “ମୁଁ ଖୁବଶୀଘ୍ର ତୁର୍କୀ ଗସ୍ତ କରିବି। ସେହିପରି ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ତୁର୍କୀ ପ୍ରତିପକ୍ଷ ଏର୍ଡୋଗାନଙ୍କ ସହ ଫୋନଯୋଗେ ମଧ୍ୟ କଥା ହୋଇଛନ୍ତି। ତୁର୍କୀ ସିରିଆରେ ଆରମ୍ଭ କରିଥିବା ଅପରେସନକୁ ବନ୍ଦ କରିବା ପାଇଁ ଆମେ ତାଙ୍କୁ କହିବୁ। ତୁର୍କୀ ଓ କୁର୍ଦ୍ଦ ସେନାଙ୍କ ମଧ୍ୟରେ ଥିବା ସମସ୍ୟା ଆଲୋଚନା ଦ୍ୱାରା ସମାଧାନ ହେବା ଉଚିତ।”

By amfnews

Related Post