Sun. Jul 26th, 2026

ତାଳଚେର ଉପଜିଲ୍ଲାପାଳରୁ ରାଜ୍ୟର ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ଅସିତ

330 Views

ଭୁବନେଶ୍ବର : ଆସନ୍ତା ସୋମବାର ରାଜ୍ୟର ୪୩ ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ଅସିତ କୁମାର ତ୍ରିପାଠୀ। ଦୀର୍ଘ ୩୩ ବର୍ଷର କ୍ୟାରିଅରରେ ଅନେକ ସଫଳତା ହାସଲ କରିଛନ୍ତି ୧୯୮୬ ବ୍ୟାଚ୍‌ର ଏହି ଆଇଏସ ଅଫିସର। ଶ୍ରୀ ତ୍ରିପାଠୀ ୧୯୬୦ ମସିହାରେ ବଲାଙ୍ଗୀର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ଜେଏନ୍‌ୟୁରୁ ଏମ୍‌ଫିଲ ଓ ଏକ ବିଦେଶୀ ବିଶ୍ବବିଦ୍ୟାଳୟରୁ ଏମବିଏ ଡିଗ୍ରି ହାସଲ କରିଥିଲେ।

ଆଇଏଏସ୍‌ ଚାକିରିରେ ଯୋଗଦେବା ପରେ ଶ୍ରୀ ତ୍ରିପାଠୀ ପ୍ରଥମେ ତାଳଚେର ଉପଜିଲ୍ଲାପାଳ ରହିଥିଲେ। ଏହି ସମୟରେ କୋଇଲା ମାଫିଆଙ୍କୁ ଦୃଢ଼ ହସ୍ତରେ ଦମନ କରିଥିବାରୁ ତାଙ୍କୁ ପ୍ରଶଂସା ମିଳିଥିଲା। ପଦୋନ୍ନତି ପାଇଁ ସେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗଦେଇଥିଲେ। ସେ ସମୟରେ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଲିଜ୍ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ସାକ୍ଷରତା ଲକ୍ଷ୍ୟ ହାସଲ କରାଇବାରେ ମଧ୍ୟ ତାଙ୍କ ଭୂମିକା ପାଇଁ ସେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚ ପ୍ରଶଂସିତ ହୋଇଥିଲେ। ପରେ ପଦୋନ୍ନତି ପାଇ ପ୍ରଥମେ ନୂଆପଡ଼ା ଓ ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ହୋଇଥିଲେ। ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ରହିବା ପରେ ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ପର୍ଯ୍ୟଟନ ନିଗମ ପରିଚାଳନା ନିର୍ଦ୍ଦେଶକ ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ। ଶ୍ରୀ ତ୍ରିପାଠୀ ଲମ୍ବା ସମୟ ପାଇଁ ଇଡକୋର ଏମଡି ଭାବେ କାର୍ଯ୍ୟ କରିଛନ୍ତି। ଶକ୍ତି ବିଭାଗର ସଚିବ ରହିବା ସହ ଓଏଚ୍‌ପିସି ଏବଂ ଓପିଜିସିର ସଂପ୍ରସାରଣରେ ଉଲ୍ଲେଖନୀୟ ଭୂମିକା ନେଇଥିଲେ।

ଶ୍ରୀ ତ୍ରିପାଠୀ କେନ୍ଦ୍ର ଡେପୁଟେସନରେ ଯାଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ (ଆପେଡା) ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ପରେ ରାଜ୍ୟକୁ ଫେରି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି। ଜଣେ ଟେନିସ ଖେଳାଳି ଭାବେ ତାଙ୍କର ମଧ୍ୟ ସୁନାମ ରହିଛି। ଏବେ ଶ୍ରୀ ତ୍ରିପାଠୀ ଓଡ଼ିଶା ଟେନିସ ଆସୋସିଏସନର ସଭାପତି ଥିବାବେଳେ ସର୍ବଭାରତୀୟ ଟେନିସ ଆସୋସିଏସନର କାର୍ଯ୍ୟକାରୀ କମିଟି ସଦସ୍ୟ ଅଛନ୍ତି।

By amfnews

Related Post