Sun. Oct 18th, 2026

ତରୁଣକାନ୍ତି, କାଳୀଚରଣଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

280 Views

ଭୁବନେଶ୍ୱର : ଓଡ଼ିଆ ଭାଷା ଲାଗି ବିଶିଷ୍ଟ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଭାସ୍ୱତୀ’ ପାଇଁ  ତାଙ୍କୁ ୨୦୧୯ର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ସାନ୍ତାଳୀ ଭାଷା ଲାଗି ଓଡ଼ିଶାର ବିଶିଷ୍ଟ ସାନ୍ତାଳୀ ଲେଖକ କାଳୀଚରଣ ହେମ୍ବ୍ରମଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଳ୍ପ ସଙ୍କଳନ ‘ଶିଶିରଜାଲି’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ୨୦୧୯ ବର୍ଷ ଲାଗି ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ସାହିତ୍ୟ ଏକାଡେମୀରର ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡ.ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ କବି ଗୁଲଜାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ଦେଶର ବିଭିନ୍ନ ଭାଷା ପ୍ରତି  ଶ୍ରେଷ୍ଠ ଅବଦାନ ଲାଗି ୨୪ ଜଣ ସାହିତ୍ୟିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରତି ପୁରସ୍କୃତ ପ୍ରତିଭାଙ୍କୁ ତାମ୍ରଫଳକ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏଥର ସାହିତ୍ୟ ଏକାଡେମିର ଓଡ଼ିଆ ବିଭାଗର ପୁରସ୍କାର ପାଇଁ ବିଚାରକ ଥିଲେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରଫୁଲ୍ଲ ମହାନ୍ତି, ଡକ୍ଟର ମାଳବିକା ରାୟ ଏବଂ ଡକ୍ଟର ଫନୀ ମହାନ୍ତି । ଚଳିତ ବର୍ଷ ଇଂରାଜୀରେ ଶଶି ଥରୁର , ଅହମିୟା ପାଇଁ ଜୟଶ୍ରୀ ଗୋସ୍ୱାମୀ, ବଙ୍ଗଳା ପାଇଁ ଚିନ୍ମୟ ଗୁହା ଓ ହିନ୍ଦୀରେ ନନ୍ଦ କିଶୋର ଆଚାର୍ଯ୍ୟଙ୍କୁ ଏହି ପୁରସ୍କାର ମିଳିଛି ।

By amfnews

Related Post