Fri. May 22nd, 2026

ଡିପ୍ଲୋମାରେ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ା ନିୟମ : ୭୫% ଉପସ୍ଥାନ ନ ଥି‌ଲେ ପରୀକ୍ଷା ଦେଇପାରିବେନି

230 Views

ଭୁବନେଶ୍ବର : ଯୁକ୍ତ୨ ଓ ଯୁକ୍ତ୩ ପ‌ରେ ଏବେ ଡିପ୍ଲୋମା କଲେଜଗୁଡ଼ିକରେ ବି ଛାତ୍ରଛାତ୍ରୀଙ୍କ ଉପସ୍ଥାନ କଡ଼ାକଡ଼ି ଲାଗୁ ହେବ। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ନ ହେଲେ ସେମାନେ ପରୀକ୍ଷା ଦେଇପାରିବେ ନାହିଁ। ଫର୍ମ ବି ପୂରଣ କରିପାରିବେ ନାହିଁ। ଡିପ୍ଲୋମା ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ପାସ୍‌ହାର ଦିନକୁ ଦିନ ନୈରାଶ୍ୟଜନକ ହେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ।

ପରିଷଦ ପକ୍ଷରୁ କୁହାଯାଇଛି ଯେ ପଲିଟେକ୍ନିକାଲ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଡିପ୍ଲୋମା ଛାତ୍ରଛାତ୍ରୀ ପ୍ରତି ସେମିଷ୍ଟର ପରୀକ୍ଷା ଦେବା ପାଇଁ କ୍ଲାସରେ ଅତି କମ୍‌ରେ ୭୫ପ୍ରତିଶତ ଉପସ୍ଥାନ ହେବା ଆବଶ୍ୟକ। ଏଥିସହ ଡିପ୍ଲୋମା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମା‌ନେ ନିୟମିତ କ୍ଲାସରେ ଉପସ୍ଥିତ ରହିବେ। ପ୍ରତିଦିନ ଯିବା ଓ ଆସିବା ସମୟରେ ବାୟୋମେଟ୍ରିକ୍‌ ମେସିନ୍‌ରେ ଫିଙ୍ଗରପ୍ରିଣ୍ଟ ଦେବେ। ଏହାବ୍ୟତୀତ ଛାତ୍ରଛାତ୍ରୀ ସେମାନଙ୍କ ଅନୁଷ୍ଠାନ ମାଧ୍ୟମରେ ନିୟମିତ ଭାବେ ନିଜର ଉପସ୍ଥାନର ତଥ୍ୟ ତଦାରଖ କରି‌ବେ।

ଯେଉଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତରୁ କମ୍‌ ରହିବ, ସେମାନେ ସେମିଷ୍ଟର ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ପରବର୍ତୀ ବର୍ଷରେ ପୁନର୍ବାର ସେହି ସେମିଷ୍ଟରରେ ଆଡମିସନ୍‌ ନେବେ। କିନ୍ତୁ ପ୍ରଥମ ସେମିଷ୍ଟରରେ ଉପସ୍ଥାନ ୭୫ ପ୍ରତିଶତରୁ କମ୍‌ ରହିଲେ ପୁର୍ନବାର ଆଡମିସନ ସୁବିଧା ମିଳିବ ନାହିଁ। ଏହି ବ୍ୟବସ୍ଥା ୨୦୧୯ ଶୀତକାଳୀନ ପରୀକ୍ଷାରୁ ଆରମ୍ଭ ହୋଇ ଆଗାମୀ ସମସ୍ତ ପରୀକ୍ଷାରେ ଲାଗୁ କରାଯିବ ବୋଲି ପରିଷଦର ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି। ଏଥିସହ ସ୍ବାସ୍ଥ୍ୟଗତ କାରଣ ଥିଲେ ଉପସ୍ଥାନକୁ ୬୦ ପ୍ରତିଶତ ଧରାଯିବ।

By amfnews

Related Post