Fri. Jun 12th, 2026

ଟ୍ୟୁସନ୍‌ରୁ ଘରକୁ ଫେରୁଥିଲା ଝିଅ; ମାଡ଼ିଗଲା ଟ୍ୟାଙ୍କର୍‌

258 Views

ପାରାଦୀପ : ସକାଳେ ଘରୁ ବାହାରି ଟ୍ୟୁସ୍‌ନ ଯାଇଥିଲା ଝିଅ। ଫେରିଥିଲେ ସ୍କୁଲ ଯାଇଥାନ୍ତା। ହେଲେ ଟ୍ୟୁସନ୍‌ ସାରି ଝିଅ ଘରମୁହାଁ ହୋଇଥିବା ବେଳେ ବାଟରେ ଚଢ଼ିଗଲା ଟ୍ୟାଙ୍କର୍‌ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ କଟକ-ପାରାଦୀପ ରାସ୍ତାର ପଙ୍କପାଳଠାରେ ଘଟି ଯାଇଛି। ଏହାପୂର୍ବରୁ ଟ୍ୟାଙ୍କରଟି ଉକ୍ତ ରାସ୍ତାରେ ଯାଉଥିବା ଏକ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା। ଏଥିରେ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି।

ମୃତା ଛାତ୍ରୀଙ୍କ ନାମ ପୂର୍ଣ୍ଣିମା ବେହେରା। ତାଙ୍କ ଘର କୁଜଙ୍ଗ ବ୍ଲକ ମନ୍ତ୍ରୀପାଟଣା ଗାଁରେ। ସେ ପଙ୍କପାଳ ହାଇସ୍କୁଲ ନବମ ଶ୍ରେଣୀରେ ପଢ଼ୁଥିଲେ। ପୂର୍ଣ୍ଣିମା ସକାଳେ ଟ୍ୟୁସନ୍‌ ଯାଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଗଲା।

ଗୁରୁତରଦ୍ୱୟଙ୍କୁ ପ୍ରଥମେ ମଣିଜଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଟ୍ୟାଙ୍କର ସହିତ ସେଥିରେ ଥିବା ୪ ଜଣଙ୍କୁ ଅଟକ ରଖି କଟକ-ପାରାଦୀପ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ତେବେ ଟ୍ୟାଙ୍କରରେ ଥିବା ୪ ଜଣ ନିଶାଶକ୍ତ ଅବସ୍ଥାରେ ଥିବା ଅଭିଯୋଗ ଆଣି ସେମାନଙ୍କୁ ଏକ ଘରେ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ ।

ଘଟଣାସ୍ଥଳରେ କୁଜଙ୍ଗ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଆଇଆଇସି ଦିଲୀପ କୁମାର ସାହୁ  ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।  ମୃତକ ଓ ଗୁରୁତରଙ୍କ ପରିବାରକୁ କ୍ଷତିପୂରଣ, ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଆଦି ଦାବି ନେଇ ଲୋକେ ରାସ୍ତାରୋକ କରିଛନ୍ତି।

By amfnews

Related Post