Fri. Jul 24th, 2026

ଟ୍ରେନ୍‌ରୁ ୩.୭୪ କୋଟିର ସୁନା ଜବତ : କୋଲକାତାରୁ ମୁମ୍ବାଇ ଚାଲାଣ ହେଉଥିଲା ୧୧ କେଜି ଓଜନର ୧୧୦ ସୁନା ବିସ୍କୁଟ, ୨ ସୁନା ବ୍ୟବସାୟୀ ଗିରଫ

173 Views

ରାଉରକେଲା : ମୁମ୍ବାଇ ଚାଲାଣ ହେବା ବେଳେ ଗୁରୁବାର ହାୱଡା-ମୁମ୍ବାଇ (୧୨୧୦୨) ଜ୍ଞାନେଶ୍ବରୀ ଏକ୍ସପ୍ରେସ୍‌ରୁ ୧୧ କେଜି ଓଜନର ୧୧୦ ଖଣ୍ଡ ସୁନା ବିସ୍କୁଟ ଜବତ ହୋଇଛି, ଯାହାର ମୂଲ୍ୟ ୩ କୋଟି ୭୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଟ୍ରେନ୍‌ରୁ ଏତେ ପରିମାଣର ସୁନା ଜବତ ହେବା ଓଡ଼ିଶାରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଏହି ଘଟଣାରେ ଅଟକ ଥିବା ଦୁଇ ସୁନା ବ୍ୟବସାୟୀ ଧନରାଜ ମହାଦେବ ଯାଦବ ଓ ରାହୁଲ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ଗୁଇନ୍ଦା ସୂଚନା ଆଧାରରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଗୁଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଓ ଆର୍‌ପିଏଫ୍‌ ମିଳିତ ଭାବେ ଗତକାଲି ଭୋର ପ୍ରାୟ ୫ଟାରେ ରାଜଗାଙ୍ଗପୁର ଷ୍ଟେସନ ନିକଟରେ ଟ୍ରେନ୍‌ର ବି-୩ କୋଚ୍‌ରେ ଚଢ଼ଉ କରିଥିଲେ। ସେମାନେ କୋଚ୍‌ର ଏକ ସିଟ୍‌ ତଳେ ଦୁଇଟି ଏୟାର ବ୍ୟାଗ୍‌କୁ ଯାଞ୍ଚ କରିଥିଲେ। ବ୍ୟାଗ୍‌ ଭିତରେ ୧୧୦ ଖଣ୍ଡ ସୁନା ବିସ୍କୁଟ ଥିବା ଦେଖିବା ପରେ ସେମାନେ ଉକ୍ତ ସିଟ୍‌ରେ ବସିଥିବା ଦୁଇ ବ୍ୟବସାୟୀ ଧନରାଜ ମହାଦେବ ଯାଦବ ଓ ରାହୁଲ ଆର୍ଯ୍ୟନଙ୍କୁ କାଗଜପତ୍ର ମାଗିଥିଲେ। କିନ୍ତୁ ଦୁଇ ବ୍ୟବସାୟୀ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ କି କାଗଜପତ୍ର ଦେଖାଇ ପାରି ନ ଥିଲେ। ତାପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗ ଓ ଆର୍‌ପିଏଫ୍‌ ଅଧିକାରୀମାନେ ସୁନା ଭର୍ତ୍ତି ବ୍ୟାଗ୍‌ ଦୁଇଟିକୁ ଜବତ କରିବା ସହ ଦୁଇ ବ୍ୟବସାୟୀଙ୍କୁ ଧରି ଭୁବନେଶ୍ବର ନେଇ ଯାଇଥିବା ଜଣାପଡ଼ିଛି।

ଏତେ ପରିମାଣର ସୁନା କଲିକତାର ହାୱଡା ଷ୍ଟେସନରୁ ମୁମ୍ବାଇର କେଉଁଠାକୁ ଯାଉଥିଲା ଓ ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି ବୋଲି ସୂଚନା ମିଳିଛି। ତେବେ ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀମାନେ ବର୍ତ୍ତମାନ କିଛି କହିବାକୁ ମନା କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୨୨ ତାରିଖରେ ରାଉରକେଲା ଷ୍ଟେସନରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ୨.୨୩ କୋଟି ଟଙ୍କା ଜବତ ହୋଇଥିଲା। ଏହି ଘଟଣାରେ ରେଳବାଇ ପୁଲିସ ତିନି ଜଣ ଅନ୍ତଃରାଜ୍ୟ ଟ୍ରେନ୍‌ଚୋର ରାଜନ ଶ୍ରୀବାସ୍ତବ, ଦୁଇ ଭାଇ ସଞ୍ଜୟ ଗୁପ୍ତା ଓ ସୁନୀଲଙ୍କୁ ଗିରଫ କରିଥିଲା। ଚୋରି ହୋଇଥିବା ୩ କୋଟି ୧୪ ଲକ୍ଷ ୯ ହଜାର ଟଙ୍କାରୁ ୨.୨୩ କୋଟି ଟଙ୍କା ଜବତ ହୋଇଥିଲା। ଅବଶିଷ୍ଟ ୯୧ ଲକ୍ଷ ଟଙ୍କାର ସନ୍ଧାନ ପୁଲିସ ପାଇ ନ ଥିଲା।

By amfnews

Related Post