Mon. Sep 14th, 2026

ଟିଟୋ ଲିଙ୍କ୍‌ରେ ବ୍ୟବସାୟୀ ଗିରଫ

213 Views

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ଅଞ୍ଚଳରୁ ଟିଟୋର ଜଣେ ପ୍ରମୁଖ ସହଯୋଗୀକୁ ଆଜି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ସେକ୍‌ ସାକିର ଅଲ୍ଲୀ। ସାକିର ପେସାରେ ଜଣେ ଟାଇଲ ଓ ମାର୍ବଲ ବ୍ୟବସାୟୀ ବୋଲି ଜଣାପଡ଼ିଛି। ମାତ୍ର ସେ ବେଶ୍‌ ସନ୍ତର୍ପଣରେ ଅପରାଧୀମାନଙ୍କ ସହ ସଂପୃକ୍ତ ରହୁଥିବା କୁହାଯାଉଛି। ବିଶେଷ କରି ଜଗତସିଂହପୁର ଜିଲ୍ଲାରେ ଟିଟୋର ଆର୍ଥିକ କାରବାର ସମ୍ପର୍କରେ ସାକିର ବୁଝାସୁଝା କରୁଥିବା ଜଣାପଡ଼ିଛି।

ଜଗତସିଂହପୁର ଜିଲ୍ଲାରେ ଟିଟୋର ସହଯୋଗୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ସାକିର ନିଜ ବ୍ୟବସାୟ ସହ ବାଲିଖାଦନ ବୁଝାସୁଝା କରୁଥିବାବେଳେ ବଡ଼ ଠିକାଦରଙ୍କଠାରୁ ବଟି ଆଦାୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଜଗତସିଂହପୁର ଜିଲ୍ଲାରେ ଟିଟୋର ଜଣେ ଘନିଷ୍ଠ ସହଯୋଗୀ ଭାବେ ବେଶ୍‌ ଜଣାଶୁଣା ଥିଲେ। ସେ ଏତେ ଚତୁର ଥିଲେ ଯେ ଟିଟୋ ସହ ତାର ସମ୍ପୃକ୍ତି ସମ୍ପର୍କରେ ସ୍ଥାନୀୟ ଲୋକେ ଆଦୌ ଜାଣିପାରୁ ନଥିଲେ। ମାତ୍ର, ଏ ସମ୍ପର୍କରେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଥିଲା। ବର୍ତ୍ତମାନ ସୁଦ୍ଧା ସାକିରଙ୍କୁ ନେଇ କେହି ମୁହଁ ଖୋଲୁ ନାହାନ୍ତି। ମାତ୍ର ଏସ୍‌ଟିଫ୍‌ ତାକୁ ରିମାଣ୍ଡରେ ନେଇ ଜେରା କରିବା ପରେ ବହୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ସାକିରଙ୍କ ଗିରଫଦାରୀ ପରେ ପୁଣି ଟିଟୋ ସହଯୋଗୀଙ୍କ ମଧ୍ୟରେ ଛନ୍‌କା ପଶିଛି। ପ୍ରକାଶଥାଉ କି, ପୂର୍ବରୁ ଟିଟୋ ଲିଙ୍କ୍‌ରେ ପାରାଦୀପରୁ ଏସ୍‌ଟିଏଫ୍‌ ବାପୁ ପରିଡ଼ା, ଆଲୋକ ମଲ୍ଲିକ ଓ ଦୀପକ ସ୍ୱାଇଁଙ୍କୁ ଗିରଫ କରିଥିବା ବେଳ ଶ୍ରମିକ ନେତା ରାକେଶ ପଟ୍ଟନାୟକଙ୍କୁ ଜେରା କରିଛି।

By amfnews

Related Post