Fri. May 15th, 2026

ଟିକ୍ ଟକ୍ ନେଲା ନାବାଳକଙ୍କ ଜୀବନ, ଦଉଡ଼ି ଦେବାର ଅଭିନୟ କରିବା ହେଲା କାଳ

232 Views

ନୟାଗଡ଼: ଲକଡାଉନ୍ ସମୟରେ ନୟାଗଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଟିକ୍ ଟକ୍ ଜଣେ ନାବାଳକଙ୍କ ଜୀବନ ନେଇଥିବା ଜଣାଯାଇଛି। ଦଉଡ଼ି ଦେବାର ଅଭିନୟ କଲା ବେଳେ ନାବାଳକଙ୍କ ସତରେ ଜୀବନ ଚାଲିଯାଇଥିବା ଘଟଣା ନୟାଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ନୟାଗଡ଼ର ଡିଆରଡିଏ ରୋଡରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପାଖରେ ରହୁଥିବା ଆନନ୍ଦ ଚନ୍ଦ୍ର ସାହୁଙ୍କ ପୁଅ ପ୍ରେମାନନ୍ଦ ସାହୁ (୧୬) ସବୁ ବେଳେ ନିଜର ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରିଥାନ୍ତି। ସେ କିଛି ଦିନ ହେବ ନୟାଗଡ଼ ଜିଲ୍ଲାର ଲେଙ୍କୁଡିପଡ଼ା ଗ୍ରାମରେ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ରହୁଥିଲେ।

ପ୍ରେମାନନ୍ଦ ଗତକାଲି ରାତିରେ ଦଉଡ଼ି ଦେବାର ଟିକ୍ ଟକ୍ ଭିଡିଓ ପ୍ରସ୍ତୁତ କରିବାକୁ ଝରକା ପାଖରେ ନିଜର ମୋବାଇଲ୍ ରଖି ଫ୍ୟାନରେ ଝୁଲିବାକୁ ଯାଇଥିଲେ। ଏହି କାମ କରିବା ପାଇଁ ଏକ ଶାଢି ନେଇଥିଲେ। ଦୁର୍ଯୋଗବଶତଃ ସେହି ଶାଢିଟି ତାଙ୍କ ବେକରେ ଗୁଡ଼େଇ ହୋଇଯାଇଥିଲା। ଏହାପରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। କିଛି ସମୟ ପରେ ସଂପର୍କୀୟଙ୍କ ଘରଲୋକେ ପ୍ରେମାନନ୍ଦଙ୍କୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଯେତେ ଡାକିଲେ ବି ପ୍ରେମାନନ୍ଦ କିଛି କହି ନଥିଲେ।

ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ନୟାଗଡ଼ ଟାଉନ୍ ଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ଘଟଣାସ୍ଥଳରେ ପହଞ୍ଚି ପ୍ରେମାନନ୍ଦଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ପୁଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।

By amfnews

Related Post