Thu. Oct 1st, 2026

‘ଟିକି ମାଉସୀ’ ମାସ୍କଟ୍ ଅନାବରଣ, ସ୍ୱାସ୍ଥ୍ୟ ରକ୍ଷା ଓ ପୁଷ୍ଟି ସାଧନର ବାର୍ତା ବାଣ୍ଟିବ ମାସ୍କଟ୍

217 Views

ଭୁବନେଶ୍ବର : ଗାଁ ଗହିଳରୁ ସହର ପର୍ଯ୍ୟନ୍ତ ସବୁଠି ମହିଳା ଓ ଶିଶୁମାନଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଏଣିକି ସଚେତନ କରାଇବ ମାସ୍କଟ୍ ‘ଟିକି ମାଉସୀ’। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆଜି ଜୟଦେବ ଭବନରେ ଏହି ମାସ୍କଟ୍‌ର ଅନାବରଣ କରିଛନ୍ତି। ଏହାସହ ବିଭିନ୍ନ ଯୋଜନା ସବୁକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହା ସଂପର୍କିତ ଲିଫଲେଟ୍‌, ପୋଷ୍ଟର ଓ ରେଡିଓ ଜିଙ୍ଗଲର ମଧ୍ୟ ଲୋକାର୍ପଣ କରାଯାଇଛି।

ଏହି ଅବସରରେ ଶ୍ରୀମତୀ ସାହୁ କହିଲେ, ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯୋଗାଯୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସରକାରୀ ଯୋଜନା ବିଷୟରେ ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ଯେତିକି ଆବଶ୍ୟକ, ଲୋକ ଯେପରି ଏହି ଯୋଜନାର ସୁଫଳ ପାଇପାରି‌ବେ‌, ସେ ନେଇ ବ୍ୟବସ୍ଥା ହେବା ଅତ୍ୟନ୍ତ ଜରୁରୀ। ‘ଟିକି ମାଉସୀ’ ମାସ୍କଟ୍ ନିଶ୍ଚିତ ଭାବେ ଆଦୃତ ହେବା ସହ ଜନସାଧାରଣଙ୍କ ମଧ୍ୟରେ ବ୍ୟାବହାରିକ ପରିବର୍ତନ ଆସିପାରିବ ବୋଲି ଶ୍ରୀମତୀ ସାହୁ କହିଥିଲେ।

ବିଭାଗୀୟ ପ୍ରମୁଖ ସଚିବ ଅନୁ ଗର୍ଗ କହିଲେ, ସମସ୍ତ ଯୋଜନା ପାଇଁ ଏକ ସମନ୍ବିତ ସଂଚାର ନୀତି ଓ ‘ଟିକି ମାଉସୀ’ ମାସ୍କଟର ପରିକଳ୍ପନା କରାଯାଇଛି। ଏହି ମାସ୍କଟ୍ ଜିରଆରେ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ବୁଲି ସଚେତନତାର ବାର୍ତା ପହଞ୍ଚାଇବେ। ବାଲ୍ୟ ବିବାହ ନିରୋଧଠାରୁ ଆରମ୍ଭ କରି ପୁଷ୍ଟିସାଧନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସଚେତନତା ସୃଷ୍ଟି କରାଯିବ। ଏଥିରେ କେବଳ ମା’ ନୁହେଁ, ବାପାମାନଙ୍କୁ ସାମିଲ କରାଯିବା ପାଇଁ ଉଦ୍ୟମ କରାଯିବ। ନାଗରିକମାନଙ୍କୁ ତୃଣମୂଳସ୍ତରରେ ସେବା ଯୋଗାଉଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ବିଭିନ୍ନ ପ୍ରଚାର ଉପକରଣ ଜରିଆରେ ସଶକ୍ତ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦେଶକ କୃପାସିନ୍ଧୁ ମିଶ୍ର, ୟୁନିସେଫର ଓଡ଼ିଶାର ମୁଖ୍ୟ ମୋନିକା ନିଏଲସନ୍, ‘ମୋ କଲେଜ୍’ କାର୍ଯ୍ୟକ୍ରମର ମୁଖ୍ୟ ଆକାଶ ଦାସ ନାୟକ ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବାଲୁକା ଆନିମେସନ୍, ରେଡିଓ ଜିଙ୍ଗଲ, କଣ୍ଢେଇ ନାଚ ଆଦି ଜରିଆରେ ‘ଟିକି ମାଉସୀ’ଙ୍କ ବ୍ୟକ୍ତିତ୍ବ ଓ ପ୍ରଚାରଶୈଳୀକୁ ପ୍ରଦର୍ଶିତ କରାଯାଇଥିଲା। ପ୍ରାରମ୍ଭରେ ବିଭାଗୀୟ ଯୁଗ୍ମ ସଚିବ ରଶ୍ମିରଂଜନ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ୟୁନିସେଫ ପକ୍ଷରୁ ଲୋପାମୁଦ୍ରା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ଆଜିର କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର କମିସନର ସଂଜୟ କୁମାର ସିଂ, ମିସନ ଶକ୍ତିର କମିସନର ତଥା ନିର୍ଦେଶକ ସୁଜାତା ଆର କାର୍ତିକେୟନ, ମହିଳା କମିସନର ଅଧ୍ୟକ୍ଷା ମିନତି ବେହେରା, ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷ ସଂଧ୍ୟାବତୀ ପ୍ରଧାନ, ବିଭାଗର ଉପଦେଷ୍ଟା ସୁଲତା ଦେଓ, ମିସନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ଡିଏସ୍‌ଡବ୍ଲ୍ୟୁ, ସିଡିପିଓ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

By amfnews

Related Post