Tue. Sep 8th, 2026
234 Views

ଝାରସୁଗୁଡ଼ା : ଛତିଶଗଡ଼ର ରାଇଗଡ଼ ଜେଲ୍‌ରେ କଟିଲା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ରାତି। ଗତକାଲି ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ତାଙ୍କୁ ଡବଲ୍‌ ମର୍ଡର ମାମଲାରେ ପୁଲିସ୍‌ ଗିରଫ କରିଥିଲା। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଅନୁପ୍‌ଙ୍କ ଡ୍ରାଇଭର୍ ଏବେ ବି ଫେରାର ଅଛି। ତାଙ୍କୁ କେବେ ଗିରଫ କରାଯିବ ତା’ ଉପରେ ଏବେ ସମସ୍ତଙ୍କ ନଜର।

ଏହି ମାମଲାରେ ଅନ୍ୟ କେହି ସାମିଲ ରହିଛନ୍ତି ନା ନାହିଁ ତାକୁ ନେଇ ବି ଖୋଳତାଡ଼ ଜାରି ରହିଛି। କୋର୍ଟରେ ଅନୁପଙ୍କ ବିରୋଧରେ ପ୍ରମାଣ, ସାକ୍ଷୀଙ୍କ ବୟାନ୍‌କୁ ରଖିବ ପୁଲିସ୍‌। ଏନେଇ ଛତିଶଗଡ଼ ପୁଲିସ୍‌ ଅଭିଯୁକ୍ତ ଅନୁପ ସାଏଙ୍କ ନାର୍କୋ ଟେଷ୍ଟ କରିବା ନେଇ ଆବେଦନ କରିବ। ଏହାସହ ଅଧିକ ପଚରାଉଚରା ପାଇଁ ପୁଲିସ୍‌ ରିମାଣ୍ଡରେ ମଧ୍ୟ ତାଙ୍କୁ ନେଇପାରେ।

ଛତିଶଗଡ଼ର ହମିରପୁର ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଅନୁପ୍‌ଙ୍କୁ ପୁଲିସ୍‌ ଗିରଫ କରିଛି। ପୂର୍ବରୁ ମୃତ କଳ୍ପନା ଦାସଙ୍କ ସହ ଅନୁପ୍‌ଙ୍କର ଅନୈତିକ ସମ୍ପର୍କ ଥିବା ତଦନ୍ତରୁ ଜଣାପଡ଼ିଛି। ପରେ ବିବାହ ପାଇଁ କଳ୍ପନା ଅନୁପଙ୍କୁ ବାଧ୍ୟ କରିଥିଲେ। ଏହାପରେ ଅନୁପ ପୂର୍ବ ଯୋଜନା ମୁତାବକ କଳ୍ପନା ଓ ତାଙ୍କ ନାବାଳିକା ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ବୋଲି ରାଇଗଡ଼ ଏସ୍‌ପି ଗତକାଲି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଥିଲେ।

୨୦୧୬ ମେ’ ୭ରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ର ହମିରପୁର ଜଙ୍ଗଲରୁ କଳ୍ପନା ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ମିଳିଥିଲା।

By amfnews

Related Post