Wed. Oct 14th, 2026
406 Views

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦିକବି ସାରଳା ଦାସ ଚେୟାର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଅଛି। ଏହି ଚୁକ୍ତିରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ଭାଷା, ସାହିତ୍ୟ ଓ ସଂସ୍କୃତି ସଂସ୍ଥାନର ଡିନ୍‌ ପ୍ରଫେସର ସୟଦ ଅୟୀନୁଲ ହାସନ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ପ୍ରଫେସର ପ୍ରବୋଧ କୁମାର ହୋତା ସ୍ୱାକ୍ଷର କରିଥିଲେ।

ଜେଏନ୍‌ୟୁର କୁଳପତି ପ୍ରଫେସର ଏମ୍‌ ଜଗଦେଶ କୁମାର, ରେକ୍ଟର ପ୍ରଫେସର ଚିନ୍ତାମଣି ମହାପାତ୍ର, ଆଦିକବି ସାରଳା ଦାସ ଚେୟାରର ପ୍ରଫେସର ଉଦୟନାଥ ସାହୁ, ଭାରତୀୟ ଭାଷାକେନ୍ଦ୍ରର ଅଧ୍ୟକ୍ଷ ପ୍ରଫେସର ଓମ୍‌ ପ୍ରକାଶ ସିଂଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିଶ୍ୱସ୍ତରରେ ପ୍ରଚାର ଓ ପ୍ରସାର ସହ ଉଚ୍ଚତର ଗବେଷଣା ନିମିତ୍ତ ଏହା ଉଦ୍ଦିଷ୍ଟ।

ଉଭୟ ବିଶ୍ୱବିଦ୍ୟାଳୟର ସହଯୋଗରେ ସାରଳା ମହାଭାରତ ଜ୍ଞାନକୋଷ ପ୍ରସ୍ତୁତି, ବିଭିନ୍ନ ତାଳପତ୍ର ପୋଥୀର ପୁନରୁଦ୍ଧାର, ଓଡ଼ିଆ କ୍ଲାସିକ ସାହିତ୍ୟର ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ, କ୍ଲାସିକ ସାହିତ୍ୟର କମ୍ପ୍ୟୁଟର ମାଧ୍ୟମରେ ସଂରକ୍ଷଣ, ସାରଳା ମହାଭାରତର ଶୁଦ୍ଧପାଠ ନିର୍ଣ୍ଣୟ ପ୍ରଭୃତି ବିଭିନ୍ନ ଗବେଷଣା ପ୍ରକଳ୍ପ ପରିଚାଳିତ ହେବ।

ଏହାଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟର ଭାଷା, ସାହିତ୍ୟ ଓ ସଂସ୍କୃତ ଉତ୍କର୍ଷ କେନ୍ଦ୍ର, ସ୍ନାତକୋତ୍ତର ଓଡ଼ିଆ ବିଭାଗ ଏବଂ ଜେଏନୟୁ ସାରଳା ଦାସ ଚେୟାର ସହଯୋଗରେ ଛାତ୍ରଛାତ୍ରୀମାନେ ଅଧିକ ଗବେଷଣା କରିପାରିବେ। ଉଭୟ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ନିମିତ୍ତ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

By amfnews

Related Post