Sat. Apr 25th, 2026

‘ଜୁଲାଇ ୧୬ ଯାଏ ବାଚସ୍ପତି ବିଧାୟକଙ୍କ ବିରୋଧରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ’

202 Views

ନୂଆଦିଲ୍ଲୀ : କର୍ଣ୍ଣାଟକାରେ ଇସ୍ତଫା ଦେଇଥିବା ବିଧାୟକଙ୍କ ବାବଦରେ ସୁପ୍ରିମକୋର୍ଟଙ୍କ ନିକଟକୁ ଆବଶ୍ୟକ ତଥ୍ୟ ଆସିନାହିଁ। ତେଣୁ ଆଜି ଶୁଣାଣି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାପରେ ଜୁଲାଇ ୧୬ ତାରିଖ ଯାଏ ବିଧାୟକଙ୍କ ଇସ୍ତଫା ବାବଦରେ କୌଣସି ନିଷ୍ପତ୍ତି ବାଚସ୍ପତି ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଶୁଣାଣି କରି କହିଛନ୍ତି। ଆସନ୍ତା ସପ୍ତାହର ମଙ୍ଗଳବାର ଏହି ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଇସ୍ତଫା ଦେଇଥିବା ବିଧାୟକଙ୍କ ତରଫରୁ ଆଇନଜୀବୀ ମୁକୁଲ ରୋହତଗୀ ବାଚସ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପ୍ରଧାନ ବିଚାରପତିଙ୍କ ଆଗରେ। ବାଚସ୍ପତି ବାରମ୍ୱାର କହୁଛନ୍ତି ସେ ଇସ୍ତଫା ସମ୍ପର୍କରେ ପଢ଼ିବା ପରେ କହିବେ। ହେଲେ ଇସ୍ତଫା ପାଇଁ ଲେଖା ହୋଇଥିବା ଗୋଟିଏ ଲାଇନ୍ ପଢ଼ିବାକୁ କେତେ ସମୟ ଲାଗୁଛି ବୋଲି ରୋହତଗୀ ପ୍ରଶ୍ନ କରିଥିଲେ। ବାଚସ୍ପତି ପଦବୀରେ ଥାଇ ରାଜନୀତିକ କାରଣରୁ ସେ ଇସ୍ତଫା ଗ୍ରହଣ କରୁନଥିବା ରୋହତଗୀ କହିଛନ୍ତି।

ବାଚସ୍ପତିଙ୍କ ତରଫରୁ ଆଇନଜୀବୀ ଅଭିଷେକ ମନୁ ସିଂହ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଆଗରେ ପକ୍ଷ ରଖିଥିଲେ। ଏହି ସମୟରେ ବାଚସ୍ପତି ଓ ବିଧାୟକଙ୍କ ଭେଟଘାଟ ବେଳର ଭିଡିଓ ଫୁଟେଜ ସୁପ୍ରିମକୋର୍ଟଙ୍କୁ ଦେଇଥିଲେ ଓକିଲ ମନୁ ସିଂହ। ଏଥିସହ ଏହି ଭିଡିଓରେ ଇସ୍ତଫା ଦେଇଥିବା ବିଧାୟକ ସ୍ୱୀକାର କରିଛନ୍ତି ଯେ ସେମାନେ ଇସ୍ତଫା ଦେବା ବେଳେ ଅଫିସରେ ବାଚସ୍ପତି ନଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଓକିଲ କୋର୍ଟରେ ପକ୍ଷ ରଖି କହିଥିଲେ ସମ୍ୱିଧାନର ନିୟମ ଅନୁଯାୟୀ ବାଚସ୍ପତିଙ୍କ ପାଖରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଧିକାର ରହିଛି। ତେଣୁ ବାଚସ୍ପତି ତାଙ୍କ ଇଚ୍ଛା ଅନୁସାରେ ନିଷ୍ପତ୍ତି ନିଅନ୍ତୁ ବୋଲି କୁମାରସ୍ୱାମୀଙ୍କ ଓକିଲ କହିଥିଲେ। ଲୋକମାନେ ଜନାଦେଶ ଦେଇଥିଲେ ବିଧାୟକଙ୍କୁ, କିନ୍ତୁ ବିଧାୟକମାନେ ଜନାଦେଶକୁ ଅପମାନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଓକିଲ କହିଥିଲେ।

By amfnews

Related Post