Sat. Jul 25th, 2026

ଜଳାଶୟ ଭିତରେ ପଶିଛି ତୀରବିଦ୍ଧ ଶମ୍ବରଛୁଆ; ଉଦ୍ଧାର ଉଦ୍ୟମ ଜାରି

216 Views

ବାରିପଦା: ସୋମବାର ପାହାନ୍ତାରେ ଶିମିଳିପାଳ ଅଭୟାରଣ୍ୟରୁ ବାରିପଦା ବନାଞ୍ଚଳ ରେଞ୍ଜ୍‌ ଅନ୍ତର୍ଗତ ବାଲିଯୋଡ଼ ଅଞ୍ଚଳକୁ ଚାଲି ଆସିଥିବା ଗୋଟାଏ ଶମ୍ବରଛୁଆ ଧନୁଶର ମାଡ଼ରେ ଆହତ ହୋଇ ଜୀବନ ବିକଳେ ଗୋଟାଏ ଜଳାଶୟ ମଧ୍ୟକୁ ପଶିଯାଇଛି।

ପ୍ରତ୍ୟୁଷରେ କାଦୁଆଲବନ୍ଧର ଗୋଟାଏ ବିଦ୍ୟାଳୟ ନିକଟରେ ଶମ୍ବରଛୁଆଟିକୁ ବୁଲୁଥିବା ଦେଖାଯାଇଥିଲା। ସ୍ଥାନୀୟ ଲୋକେ ତାକୁ ଗାଁ ଆଡ଼କୁ ଘଉଡ଼ାଇ ଆଣିବା ସମୟରେ କେହି ଜଣେ ତୀର ମାରି ଦେବାରୁ ସେ କ୍ଷତାକ୍ତ ହୋଇଛି ଓ ତା’ ଦେହରୁ ପ୍ରବଳ ରକ୍ତସ୍ରାବ ହେଉଛି।
ଆତ୍ମରକ୍ଷା ପାଇଁ ଛୁଆଟି ଅନ୍ୟ ଉପାୟ ନ ପାଇ ଗୋଟାଏ ଜଳାଶୟ ମଧ୍ୟକୁ ପଶିଯାଇଛି।

ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶମ୍ବରଛୁଆକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି। ଶମ୍ବର ଗୋଟାଏ ଡରକୁଳା ଓ ସୁକୁମାରିଆ ଜନ୍ତୁ ହୋଇଥିବାରୁ ଉଦ୍ଧାର କରିବାରେ ସତର୍କତା ଅବଲମ୍ବନ ନ କଲେ ତା’ ଜୀବନ ପ୍ରତି ବିପଦ ଦେଖାଦେଇ ପାରେ। ଏହାଛଡ଼ା ତୀରଟି ମଧ୍ୟ ତା’ ଦେହରେ ପଶିକରି ରହିଛି।

ବନ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ଟ୍ରାଙ୍କ୍ୟୁଲାଇଜ୍‌ କରାଯାଇ ତାକୁ ଉଦ୍ଧାର କରାଯିବା ପରେ ଅସ୍ତ୍ରୋପଚାର କରାଯାଇ ବିଦ୍ଧ ତୀରଟିକୁ କାଢ଼ିବାକୁ ପଡ଼ିବ। ସର୍ବଶେଷ ସୂଚନା ଅନୁସାରେ, ଉଦ୍ଧାର କରାଯିବା ପରେ ସେ ଶମ୍ବରଛୁଆଟିର ମୃତ୍ୟୁ ଘଟିଛି।

By amfnews

Related Post