Sat. Apr 25th, 2026

ଛାଡ଼ି ପଳାଇଲା କୁଆଁରୀ ମା’; ଛୁଆକୁ ମନ୍ଦିର ପାଖରେ ଫିଙ୍ଗି ଦେଲେ ଡାକ୍ତର

179 Views

ବିଶାଖାପଟନମ୍‌  : ଏକ ନର୍ସିଂହୋମ୍‌ରେ ଜଣେ ଅବିବାହିତ ଯୁବତୀ ପ୍ରସବ କରିବା ପରେ ନବଜାତ ଶିଶୁକୁ ଛାଡ଼ି ପଳାଇଥିଲେ। ଏହା ପରେ ଡାକ୍ତରଙ୍କ ନିର୍ଦ୍ଦେଶକ୍ରମେ ନସିଂହୋମ୍‌ର କର୍ମଚାରୀମାନେ ଛୁଆଟିକୁ ଏକ ମନ୍ଦିର ପାଖରେ ଫିଙ୍ଗି ଦେଇଥିଲେ। ଛୁଆଟିକୁ ଉଦ୍ଧାର କରାଯିବାର ଗୋଟିଏ ଦିନ ପରେ ତା’ର ମୃତ୍ୟୁ ହୋଇଯାଇଥିଲା। ଏ ଘଟଣାରେ ପୁଲିସ୍ ଉକ୍ତ ଡାକ୍ତର ଓ ଜଣେ ଏଏନ୍‌ଏମ୍‌ଙ୍କୁ ଗିରଫ କରିଛି।

ଘଟଣାଟି ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ମଚିଲିପଟନମ୍‌ର ଏକ ନର୍ସିଂହୋମ୍‌ରେ ଘଟିଛି। ଅକ୍ଟୋବର ୧ ତାରିଖରେ ଏଠାରେ ଜଣେ ଯୁବତୀ ପ୍ରସବ ପରେ ଛୁଆକୁ ଛାଡ଼ି ପଳାଇଥିଲେ। ଏହା ପରେ ଡାକ୍ତର ଧନନ୍ତ୍ୱରୀ ଶ୍ରୀନିବାସାଚାର୍ଯ୍ୟ ଓ ଏଏନ୍‌ଏମ୍‌ ବେବୀ ରାଣୀଙ୍କ ତତ୍ତ୍ୱାବଧାନରେ ନର୍ସିଂହୋମ୍‌ର କିଛି କର୍ମଚାରୀ ଛୁଆଟିକୁ ନେଇ ଶ୍ରୀ ଭେଙ୍କେଟେଶ୍ୱରସ୍ୱାମୀ ମନ୍ଦିର ନିକଟରେ ଫିଙ୍ଗି ଦେଇଥିଲେ।

ସ୍ଥାନୀୟ ଲୋକେ ଛୁଆଟିକୁ ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଛୁଆଟିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ଅକ୍ଟୋବର ୨ ତାରିଖରେ ଛୁଆଟିକୁ ବିଜୟୱାଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବିଜୟୱାଡ଼ା ଡାକ୍ତରଖାନାରେ ଶିଶୁଟିର ମୃତ୍ୟୁ ଘଟିଥିଲା।

ପୁଲିସ୍‌ କହିଛି ଯେ ନବଜାତ ଶିଶୁଟିକୁ ଫୋପାଡ଼ି ଦେବା ଘଟଣାରେ ଡାକ୍ତର ଧନନ୍ତ୍ୱରୀ ଶ୍ରୀନିବାସାଚାର୍ଯ୍ୟ ଓ ଏଏନ୍‌ଏମ୍ ବେବୀ ରାଣୀଙ୍କ ସଂପୃକ୍ତି ଥିବା ନେଇ ସ୍ପଷ୍ଟ ପ୍ରମାଣ ରହିଛି। ତେବେ ଯେଉଁ ଡାକ୍ତର ଉକ୍ତ ଯୁବତୀଙ୍କ ପ୍ରସବ ବେଳେ ଉପସ୍ଥିତ ଥିଲେ ସେ ଫେରାର ହୋଇଯାଇଛନ୍ତି।

By amfnews

Related Post