Thu. Oct 8th, 2026

ଚାଓମିନ୍ ମିସ୍ତ୍ରି ପାଇଁ ବୋମାମାଡ଼, ଅଭିଯୁକ୍ତ ଗିରଫ

319 Views

ଖଣ୍ଡଗିରି : ୯ ତାରିଖ ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ ଏକ ହୋଟେଲ ଉପରକୁ ବୋମାମାଡ଼ କରିଥିବା ଅଭିଯୁକ୍ତକୁ ଖଣ୍ଡଗିରି ଥାନା ପୁଲିସ ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ବସ୍‌ଷ୍ଟାଣ୍ଡରେ ଏକ ହୋଟେଲ କରିଥିବା ବରମୁଣ୍ଡା ତଳସାହିର ଦୁଃଶାସନ ଚମ୍ପତ୍ତି(୩୨)। ଅନ୍ୟ ହୋଟେଲର ଚାଓମିନ୍ ମିସ୍ତ୍ରିକୁ ଡରାଇ ଧମକାଇ ନିଜ ହୋଟେଲକୁ ନେଇଯିବା ପାଇଁ ଏହି ବୋମାମାଡ଼ କରିଥିବା ଅଭିଯୁକ୍ତ ସ୍ବୀକାର କରିଛି। ଜାମିନ୍ ନାମଞ୍ଜୁର ହେବାରୁ ଦୁଃଶାସନକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ ଅଭିଯୋଗକାରୀ ନିରଞ୍ଜନ ପାତ୍ରଙ୍କ ହୋଟେଲ ଜୟ ଜଗନ୍ନାଥ ନିକଟରେ ଅଭିଯୁକ୍ତ ଦୁଃଶାସନର ଏକ ହୋଟେଲ ରହିଛି। କିନ୍ତୁ ଦୀର୍ଘ ଦିନରୁ ଦୁଇ ମାଲିକଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ। ନିରଞ୍ଜନଙ୍କ ହୋଟେଲରେ ଭଲ ମିସ୍ତ୍ରି(ରୋଷେୟା) ଥିବାରୁ କାରବାର ଭଲ ଚାଲିଥିଲା। ତେଣୁ ଦୁଃଶାସନ ନିରଞ୍ଜନଙ୍କ ଚାଓମିନ୍ ମିସ୍ତ୍ରିକୁ ନିଜ ପକ୍ଷକୁ ନେଇ ଯିବାକୁ ଯୋଜନା କରିଥିଲା।

ପ୍ରଥମେ ଅଧିକ ଦରମାର ଲୋଭ ଦେଖାଇଥିଲା, ମାତ୍ର ମିସ୍ତ୍ରି ଜଣଙ୍କ ରାଜି ନ ହେବାରୁ ବରମୁଣ୍ଡା ଛାଡ଼ିକି ପଳାଇବାକୁ ଧମକ ଦେଇଥିଲା। କିନ୍ତୁ ଧମକକୁ ଖାତିର ନ କରି ମିସ୍ତ୍ରି ନିରଞ୍ଜନଙ୍କ ହୋଟେଲରେ ହିଁ କାମ କରିବା ଚାଲୁ ରଖିଲେ। ତେଣୁ ଘଟଣାଦିନ ରାତିରେ ହୋଟେଲ ବନ୍ଦ ହେଲା ବେଳକୁ ଅନ୍ଧାରିଆ ସ୍ଥାନରେ ଛକି ରହିଥିବା ଦୁଃଶାସନ ହୋଟେଲ ଉପରକୁ ଏକ ବୋମା ଫିଙ୍ଗି ଫେରାର୍ ହୋଇ ଯାଇଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ତାକୁ ଚିହ୍ନଟ କରାଯାଇଥିଲା।

By amfnews

Related Post