Fri. Oct 2nd, 2026

ଘରୋଇ କମ୍ପାନୀଙ୍କ ପାଇଁ କମିଲା କର୍ପୋରେଟ୍‌ ଟ୍ୟାକ୍ସ

271 Views

ନୂଆଦିଲ୍ଲୀ  : ଘରୋଇ କମ୍ପାନୀ ଏବଂ ନୂତନ ମାନ୍ୟୁଫାକଚରିଂ କମ୍ପାନୀମାନଙ୍କ ପାଇଁ କର୍ପୋରେଟ୍‌ ଟ୍ୟାକ୍ସ ହ୍ରାସ ହେବ। ଏନେଇ ଶୁକ୍ରବାର ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନ ଫଳରେ ସରକାର ୧,୪୫,୦୦୦ କୋଟି ଟଙ୍କାର କ୍ଷତି ସହିବେ। ତେବେ ଏହା ଅଧିକ ରେଭେନ୍ୟୁ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଟିକସର ପରିମାଣ ବଢ଼ାଇବ ବୋଲି ସୀତାରମଣ କହିଛନ୍ତି।

ଏହି ନିଷ୍ପତ୍ତି ଫଳରେ ଘରୋଇ କମ୍ପାନୀଙ୍କୁ ୩୦% ବଦଳରେ ୨୨% ହାରରେ ଆୟକର ଦେବାକୁ ହେବ। ଏତଦ୍‌ବ୍ୟତୀତ ନୂଆ ମାନ୍ୟୁଫାକଚରିଂ କମ୍ପାନୀ ୧୫% ହାରରେ ଆୟର ଦେବେ, ଯାହାକି ପୂର୍ବରୁ ୨୫% ଥିଲା। ତେବେ ଏଥିରେ ଗୋଟିଏ ସର୍ତ୍ତ ରହିଛି। ଏହି ସୁବିଧା ପାଇବାକୁ ହେଲେ ସେମାନଙ୍କୁ ଅନ୍ୟ କିଛି ରିହାତିରୁ ବଞ୍ଚିତ ହେବାକୁ ହେବ। ତେବେ ସରଚାର୍ଜ ଏବଂ ସେସ୍‌ ମିଶିବା ପରେ ଇଫେକ୍ଟିଭ୍‌ ଟିକସ ହାର ଯଥାକ୍ରମେ ୨୫.୧୭% ଏବଂ ୧୭.୦୧% ରହିବ। ଆଜି ନିଆଯାଇଥିବା ନିଷ୍ପତ୍ତି ଏକ ବଡ଼ ପରିମାଣର ଟିକସ ହ୍ରାସ ବୋଲି ନିର୍ମଳା କହିଛନ୍ତି।

ସରକାର ଆଲୋଚନା କରି ନେଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ। ଏକ ବିଧେୟକ ଅଣାଯାଇ ଟିକସ ଆଇନରେ ପରିବର୍ତ୍ତନ କରାଯାଇଥିବା ନିର୍ମଳା ସୂଚନା ଦେଇଛନ୍ତି। ଜିଏସ୍‌ଟି ବୈଠକରେ ଯୋଗଦେବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି।

By amfnews

Related Post