Thu. May 14th, 2026

ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବର ୧୫ଟି ସବୁଠୁ ଉତ୍ତପ୍ତ ସହରମାନଙ୍କ ମଧ୍ୟରୁ ୧୦ଟି ଭାରତରେ

276 Views

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବର ସବୁଠୁ ଉତ୍ତପ୍ତ ସହରମାନଙ୍କ ମଧ୍ୟରୁ ୧୦ଟି ସହରର ଭାରତର ବୋଲି ପାଣିପାଗ ମନିଟରିଙ୍ଗ୍ ୱେବ୍‌ସାଇଟ୍ ‘ଇଆଇ ଡୋରାଡୋ’ କହିଛି।

ରାଜସ୍ଥାନର ରାଜଧାନୀ ଜୟପୁର ଠାରୁ ୨୦ କିଲୋମିଟର୍ ଉତ୍ତରରେ ଥିବା ଚୁରୁରେ ମଙ୍ଗଳବାର ଦିନ ତାପମାତ୍ରା ଥିଲା ୫୦ ଡିଗ୍ରି ସେଲିସିୟସ୍। ଏହା ହେଉଛି ଆମ ଦେଶର ସବୁଠୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ଅଞ୍ଚଳ।

ଥର୍ ମରୁଭୂମିର ପ୍ରବେଶ ପଥ ଭାବେ ସୁପରିଚିତ ଚୁରୁର ତାପମାତ୍ରା ସହ ମଙ୍ଗଳବାର ଦିନ ପାକିସ୍ତାନର ଜାକୋବାବାଦର ଉତ୍ତାପ ମେଳଖାଇଥିଲା। ଏ ଦୁଇଟି ସ୍ଥାନ ଗତକାଲି ଥିଲେ ବିଶ୍ବର ସବୁଠୁ ଉତ୍ତପ୍ତ ନଗରୀ। ଉତ୍ତପ୍ତ ସହର ତାଲିକାରେ ରାଜସ୍ଥାନର ଅନ୍ୟ ତିନିଟି ସହର ଯଥା:- ବିକାନେର୍, ଗଙ୍ଗାନଗର ଏବଂ ପିଲାନି ମଧ୍ୟ ରହିଥିଲେ।

ଏହାଛଡ଼ା, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ଦୁଇଟି ଲେଖାଏଁ ସହରକୁ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଉତ୍ତର ପ୍ରଦେଶର ବନ୍ଦା ଏବଂ ହରିୟାଣାର ହିସାରରେ ମଧ୍ୟ ମଙ୍ଗଳବାର ଦିନ ତାପମାତ୍ର ଥିଲା ୪୮ ଡିଗ୍ରି ସେଲିସିୟସ୍।

ଗତକାଲି ଦିଲ୍ଲୀର ତାପମାତ୍ରା ଥିଲା ୪୭.୬, ବିକାନେର୍‌ର ୪୭. ୪, ଗଙ୍ଗାନଗରର ୪୭, ଝାନ୍ସୀର ୪୭, ପିଲାନିର ୪୬.୯, ମହାରାଷ୍ଟ୍ର ଅନ୍ତର୍ଗତ ନାଗପୁର ସୋନେଗାଓଁର ୪୬.୮ ଏବଂ ଆକୋଲାର ୪୬.୭ ଡିଗ୍ରି ସେଲିସିୟସ୍। ଏହା ବ୍ୟତୀତ ରାଜସ୍ଥାନର କୋଟା ଏବଂ ଜୟସାଲେମରର ତାପମାତ୍ରା ମଧ୍ୟ ୪୬ ଡିଗ୍ରି ସେଲିସିୟସ୍ ହୋଇଯାଇଥିଲା।

ଗତ ୧୦ ବର୍ଷ ମଧ୍ୟରେ ଚୁରୁ ଦ୍ବିତୀୟ ବାର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି। ଏହା ପୂର୍ବରୁ ୨୦୧୬ ମସିହା ମେ ୧୯ ତାରିଖ ଦିନ ଚୁରୁର ତାପମାତ୍ରା ୫୦.୨ ଡିଗ୍ରି ସେଲିସିୟସ୍ ରେକର୍ଡ କରାଯାଇଥିଲା।

By amfnews

Related Post