Mon. Sep 7th, 2026

ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ

292 Views

ଛତ୍ରପୁର : ପିଲାଙ୍କୁ ଚାପମୁକ୍ତ କରିବାକୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା । ଛାତ୍ରଛାତ୍ରୀମାନେ ସପ୍ତାହରେ ଦିନଟିଏ ଆଜି ବିନା ବ୍ୟାଗରେ ବିଦ୍ୟାଳୟକୁ ଆସିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଚାପମୁକ୍ତ କରିବାକୁ ଏପରି ଏକ ନିଆରା ବ୍ୟବସ୍ଥା ଆରମ୍ଭ ହୋଇଛି ଗଞ୍ଜାମ ଜିଲ୍ଲାରେ ।
ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ଏନଏସିରେ ଥିବା ପୁତିଗୋପାଳପୁର ଉଚ୍ଚ ବିଦ୍ୟାଳୟ ଏବଂ ରିକାପଲ୍ଲୀ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ପିଲାମାନଙ୍କ ଭିତରେ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଓ ମାନସିକ ଶାନ୍ତି ସହ ଜ୍ଞାନ ଅର୍ଜନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି କାରଣରୁ ପ୍ରତି ଶନିବାର ଦିନ ସାଧାରଣ ପାଠ୍ୟକ୍ରମ ପାଠପଢ଼ା ବନ୍ଦ ରହିବ । ଏହି ଦିନ ପିଲାମାନଙ୍କ ରୁଟିନ୍ ହେବ କେବଳ ଯୋଗ, ଚିତ୍ରାଙ୍କନ, ଗପବହି ପଢ଼ିବା, ଗଳ୍ପ ଶୁଣିବା ଓ କହିବା । ଏହାକୁ ଆଖି ଆଗରେ ରଖି ପରୀକ୍ଷାମୂଳକଭାବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ । ପ୍ରତି ଶନିବାର ହେବ ନୋ ବ୍ୟାଗ୍ ଡେ । ଆଜିଠାରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ।

ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପ୍ରତ୍ୟେକ ବ୍ଲକ୍ ଶିକ୍ଷା ଅଧିକାରୀ ସେମାନଙ୍କ ଅଧୀନସ୍ଥ ୨୦ଟି ବିଦ୍ୟାଳୟ ଚୟନ କରିବେ । ଶାରୀରିକ, ମାନସିକ, ବୌଦ୍ଧିକ ବିକାଶ ପାଇଁ ଏହି ଚାପମୁକ୍ତ ଶିକ୍ଷା ପଦ୍ଧତି ଲାଭଦାୟକ ହେବ । ପ୍ରତ୍ୟେକ ଶନିବାର ପୂର୍ବ ନିର୍ଘଣ୍ଟ ସମୟ ମୁତାବକ ବିଦ୍ୟାଳୟ କାର୍ଯ୍ୟ ପରିଚାଳିତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

By amfnews

Related Post