Wed. Sep 30th, 2026

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୭ ନମ୍ବର ସ୍ଲୁଇସ୍‌ ଗେଟ୍‌

239 Views

ହୀରାକୁଦ  : ବୁଧବାର ପୂର୍ବାହ୍ନ ୧୧: ୨୬ରେ ହୀରାକୁଦ ଜଳଭଣ୍ଡାରର ସାତ ନମ୍ବର ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏହା ହେଉଛି ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ।

ଗେଟ୍‌ ଖୋଲାଯିବା ପାଇଁ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଶୁଭମ୍‌ ସାକ୍‌ସେନା ନଡ଼ିଆ ଭାଙ୍ଗିବା ପରେ ଗେଟ୍‌ ଖୋଲିଥିଲେ। ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ସହ ଏହି ଉତ୍ସବରେ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ସୁନୀଲ ନାୟକ ଉପସ୍ଥିତ ଥିଲେ।ସମ୍ପ୍ରତି ୭ ନମ୍ବର ଗେଟ୍‌ ଦେଇ ପ୍ରତି ସେକେଣ୍ଡ୍‌ ୧୫ ହଜାର ୫୦୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ସ୍ଲୁଇସ୍‌ ଗେଟ୍‌ ଖୋଲାଯିବା ସମୟରେ ଜଳଭଣ୍ଡାରର ଜଳସ୍ତର ଥିଲା ୬୧୮. ୯୬ ଫୁଟ୍‌।

ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ମହାନଦୀର ତଳ ମୁଣ୍ଡରେ ଜଳସ୍ତର ବଢ଼ିଥିବାରୁ ହୀରାକୁଦର ସ୍ଲୁଇସ୍‌ଗେଟ୍‌ଟି ମାତ୍ର ୪ ଘଣ୍ଟା ଖୋଲା ରହିବ। ଗେଟ୍‌ ଖୋଲିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିବାରୁ ଏହା ପ୍ରତିକାତ୍ମକ ବନ୍ୟାଜଳ ନିଷ୍କାସନ ବୋଲି କୁହାଯାଉଛି। ପରବର୍ତ୍ତୀ ପରିସ୍ଥିତିକୁ ଦେଖି ପୁଣି ସ୍ଲୁଇସ୍‌ ଗେଟ୍‌ ଖୋଲାଯିବାକୁ ନିଷ୍ପତ୍ତି ନିଆଯିବ। ଗେଟ୍‌ ଖୋଲାଯିବା ପୂର୍ବରୁ ପ୍ରଥା ଅନୁଯାୟୀ ପୂଜାପାଠ, କୀର୍ତ୍ତନ କରାଯାଇଥିଲା। ଜଳପ୍ରବାହ ଦେଖିବାକୁ ବନ୍ଧ ଉପରେ ଜନଗହଳି ହୋଇଥିଲା।

By amfnews

Related Post