Tue. Sep 29th, 2026

କ୍ୟାପିଟାଲ ହସ୍ପିଟାଲ ହାର୍ଟ୍ କେୟାର ୟୁନିଟ୍ ପାଇଁ ଗଠନ ହେବ କର୍ପସ ପାଣ୍ଠି

301 Views

ଭୁବନେଶ୍ବର : ଆସନ୍ତା ବର୍ଷ ଜାନୁଆରି ୧୫ ତାରିଖରେ କ୍ୟାପିଟାଲ୍ ହସ୍ପିଟାଲରେ ହାର୍ଟ୍ କେୟାର ୟୁନିଟ୍ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ହୃଦ୍‌ରୋଗୀଙ୍କ ଜରୁରୀକାଳୀନ ସେବା ପାଇଁ କର୍ପସ୍ ପାଣ୍ଠି ଗଠନ କରିବାକୁ ନିଷ୍ପତ୍ତି ହୋଇଛି। ଏହା ସହିତ ୟୁନିଟ୍ ପାଇଁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତି କରିବା ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ବୈଠକର ନିଷ୍ପତ୍ତି ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୩୦ ଶଯ୍ୟା ବିଶିଷ୍ଟ କାର୍ଡିଆକ୍ କେୟାର ୟୁନିଟ୍ ଆରମ୍ଭ କରାଯିବ। ସେଥିରୁ ୧୫ଟି ପୁରୁଷ ରୋଗୀ ଓ ଅନ୍ୟ ୧୫ଟି ମହିଳା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ହେବ। କେୟାର ୟୁନିଟରେ ୧୦ ଜଣ ହାଉସକିପିଙ୍ଗ୍ କର୍ମଚାରୀଙ୍କ ସମେତ କ୍ୟାଥଲାବ, ଇସିଜି, ଇକୋ, ଟ୍ରେଡ୍ ମିଲ୍ ଟେକ୍ନିସିଆନ୍ ନିଯୁକ୍ତି ପାଇବେ। ସଂକ୍ରମଣ ରୋକିବା ପାଇଁ ଷ୍ଟେରିଲାଇଜେସନ୍ ଉପରେ ଗୁରୁତ୍ବ ଦିଆଯିବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସରକାରଙ୍କୁ ପ୍ରସ୍ତାବ ଦେବାକୁ ଭେଷଜ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବେଙ୍ଗାଳୁରୁର ସତ୍ୟସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟର ମେଡିକାଲ ସାଇନ୍ସ ଓ ପୁଟ୍ଟପୂର୍ତ୍ତି ହସ୍ପିଟାଲର କାର୍ଡିଆକ୍ ସାଇନ୍ସେସ ବିଭାଗର ଡା. ପ୍ରଭାତ କୁମାର ଦାସ ଆସନ୍ତା ଜାନୁଆରି ୧୫ ତାରିଖ ମଧ୍ୟରେ ହାର୍ଟ୍ କେୟାର ୟୁନିଟ୍ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଡିଏମଇଟି ଡା. ସିବିକେ ମହାନ୍ତି, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକ ଓ ବିଭାଗୀୟ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

By amfnews

Related Post