Wed. Jul 1st, 2026

କ୍ଷମତା ପାଇଁ ହିନ୍ଦୁତ୍ୱର ପୋଷାକ ଉତାରିଲା ଶିବସେନା!

473 Views

ମୁମ୍ୱାଇ: ନିଜ ରାଜନୀତିକ ବିଚାରଧାରାର ବିରୋଧୀ ସହିତ ମିଶି ସରକାର ଗଢ଼ିବା ପାଇଁ ଶିବସେନା ଏବେ ନିଜ ରାଜନୀତିକ ଏଜେଣ୍ଡାକୁ ବଳି ପକାଇଛି। ଯେଉଁ ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ ଶିବସେନା ଭୋଟ୍ ପାଇଛି, ଏବେ ସେହି ଏଜେଣ୍ଡାକୁ ନିଜ କୋର ଏଜେଣ୍ଡାରୁ ହଟାଇ ଦେଇଛି। ନିଜର ଦାବି ପୂରଣ କରିବା ପାଇଁ ଅନ୍ୟକୁ ନାଲି ଆଖି ଦେଖାଉଥିବା ଶିବସେନା ଏବେ ଏନସିପି-କଂଗ୍ରେସର ବିଚାରଧାରା ଆଗରେ ନିଜ ସ୍ୱର ନରମ କରିବ ବୋଲି ଜଣାପଡ଼ିଛି। ଯାହାକି ଏବେ ମହାରାଷ୍ଟ୍ର ରାଜନୀତିରେ ନୂଆ ଟୁଇଷ୍ଟ।

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ରହିଛି। ଏହାରି ଭିତରେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ କରି ସରକାର ଗଢ଼ିବା ପାଇଁ ଆଗେଇ ଆସିଛନ୍ତି। ଆଜି ତିନି ଦଳ ଏକାଠି ହୋଇ ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ଭେଟି ସରକାର ଗଢ଼ିବା ପାଇଁ ଦାବି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିସହ ଗତକାଲି ୩ ଦଳ କମନ ମିନିମମ୍‌ ପ୍ରୋଗ୍ରାମ(ସିଏମପି) ଡ୍ରାଫ୍ଟରେ ରାଜି ହୋଇ ସରକାର ଗଠନ କରିବାକୁ ଏକାଠି ହୋଇଛନ୍ତି।

ଏହି ସିଏମପିରେ କିନ୍ତୁ ହିନ୍ଦୁତ୍ୱ ଏଜେଣ୍ଡା ନାହିଁ। ଯାହାକୁ ନେଇ ଶିବସେନା ସବୁବେଳେ ରାଜନୀତି କରେ। ଏହି ସିଏମପିରେ ମୁଖ୍ୟତଃ ତିନି ଦଳ ଚାଷୀଙ୍କ ବିକାଶ ଉପରେ ଫୋକସ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଧାରା ୩୭୦, ରାମ ମନ୍ଦିର ଏବଂ ଏନଆରସି ପ୍ରସଙ୍ଗରେ ବାରମ୍ବାର ବିଜେପି ସହିତ ସ୍ୱର ମିଳାଉଥିବା ଶିବସେନା ଆଗାମୀ ଦିନରେ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ କରିପାରେ। ଯେହେତୁ ତିନି ଦଳ ଏଠି ମିଶି ସରକାର ଗଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି, ତେଣୁ ଅନ୍ୟ ଦୁଇ ସହଯୋଗୀଙ୍କୁ ସୁହାଇଲା ଭଳି ଶିବସେନା ରାଜନୀତି କରିବ ବୋଲି ଜଣାପଡ଼ିଛି।

By amfnews

Related Post