Fri. Oct 2nd, 2026

କୋଲ୍‌କତା ବଜାରରେ ଚହଳ ପକାଇଛି ତୁର୍କୀର ପିଆଜ

180 Views

କୋଲ୍‌କାତା: ତୁର୍କୀରୁ ଆମଦାନି ହୋଇଥିବା ପିଆଜ ଶୁକ୍ରବାର ସକାଳେ କୋଲ୍‌କାତା ବଜାରରେ ପହଞ୍ଚିବା ପରେ ଗ୍ରାହକମାନଙ୍କ ମଧ୍ୟରେ ଚହଳ ପଡ଼ିଛି। ଏବେ ମିଳୁଥିବା ଟିକି ଟିକି ପିଆଜ କିଣି ବିରକ୍ତ ହୋଇଯାଇଥିବା ଗ୍ରାହକମାନେ ତୁର୍କୀର ବଡ଼ ପିଆଜ ସବୁ ଦେଖି ଖୁବ୍‌ ଲୋଭେଇ ଯାଇଛନ୍ତି। ନାସିକର ପିଆଜ ଠାରୁ ତୁର୍କୀର ପିଆଜ ପ୍ରାୟ ୪ଗୁଣ ବଡ଼ ଓ ୮/୧୦ ଗୁଣ ଓଜନିଆ।

ମିଳିଥିବା ସୂଚନା ଅନୁସାରେ, ତିନୋଟି ଟ୍ରକ୍‌ରେ ୭୫ରୁ ୮୦ ବସ୍ତା ତୁର୍କୀ ପିଆଜ ଗୁରୁବାର ରାତିରେ କୋଲ୍‌କାତାରେ ପହଞ୍ଚଥିଲା। ଏଗୁଡ଼ିକ ଦେଖିବାକୁ ଭାରତୀୟ ପିଆଜ ଆକୃତିର ହୋଇଥିଲେ ବି ସ୍ୱାଦ ଏତେ ରାଗୁଆ ନୁହେଁ ଓ ବାସ୍ନା ମଧ୍ୟ ଟିକିଏ ଭିନ୍ନ। ଗୋଟିଏ ଗୋଟିଏ ପିଆଜର ଓଜନ ୪୦୦ ରୁ ୫୦୦ ଗ୍ରାମ୍‌।

୪୦ କିଲୋ ତୁର୍କୀ ପିଆଜ ଥିବା ବସ୍ତାର କିଣା ଦର ୪୫୦୦/- ଟଙ୍କା ହୋଇଥିବା ବେଳେ ‘ଇମ୍ପୋର୍ଟେଡ୍‌ ପିଆଜ’ କହି ଦୋକାନୀମାନେ ତାହାକୁ କିଲୋପିଛା ୧୪୦ ରୁ ୧୫୦ ଟଙ୍କାରେ ବିକ୍ରୟ କରୁଛନ୍ତି।

କିଛି ଦିନ ପୂର୍ବରୁ ଦେଶର ବିଭିନ୍ନ ଅଞ୍ଚଳରେ ପିଆଜ ଦର ୧୦୦ରୁ ୧୫୦ ଟଙ୍କାରେ ବିକ୍ରୟ କରାଯାଉଥିଲା। ସ୍ଥାନୀୟ ଅଞ୍ଚଳ ଏବଂ ଆଫଗାନିସ୍ତାନର ପିଆଜ ଆସିବା ପରେ ଦର ହ୍ରାସ ପାଇଥିଲା। କିନ୍ତୁ, ଆଫଗାନିସ୍ତାନ ପିଆଜ ସରିବା ପରେ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅପରିପକ୍ୱ ପିଆଜ ପଚିଯିବା ପରେ ପୁଣି ଏହାର ଦର ବୃଦ୍ଧି ପାଉଛି।

By amfnews

Related Post