Sun. Oct 11th, 2026

କେନ୍ଦ୍ରାପଡ଼ା: ଭରତପୁର ଗ୍ରାମରେ ସଶସ୍ତ୍ର ଚୋରି: ଗୋଟିଏ ପରିବାରର ୪ ଜଣଙ୍କୁ ଆକ୍ରମଣ କରି ଟଙ୍କା ଓ ଗହଣା ଲୁଟ୍‌

445 Views

କେନ୍ଦ୍ରାପଡ଼ା: ଗୁରୁବାର ବିଳମ୍ବିତ ରାତ୍ରୀରେ ଆଳି ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ସଶସ୍ତ୍ର ଚୋରି ହୋଇଛି।

ଚୋରମାନେ ହାଡ଼ିବନ୍ଧୁ ସାହୁଙ୍କ ଘରେ ପଶି ବିଜୁଳି ସଂଯୋଗ ଛିନ୍ନ କରିବା ପରେ ପରିବାରର ଚାରିଜଣ ସଦସ୍ୟମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନଗଦ ୧ ଲକ୍ଷ ଟଙ୍କା ଓ ଗହଣା ନେଇ ପଳାଇଛନ୍ତି।

ଚୋରମାନଙ୍କ ଆକ୍ରମଣରେ ହାଡ଼ିବନ୍ଧୁ, ତାଙ୍କ ପତ୍ନୀ ଭଗବତୀ, ସେମାନଙ୍କ ପୁଅ ଓ ବୋହୂ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ପ୍ରଥମେ ଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ହାଡ଼ିବନ୍ଧୁଙ୍କ ପତ୍ନୀ ଭଗବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି।

ରାତି ପ୍ରାୟ ୨: ୩୦ ପରେ ଚୋରମାନେ ହାଡ଼ିବନ୍ଧୁଙ୍କ ଘରେ ପ୍ରବେଶ କରିଥିଲେ। ଭଗବତୀଙ୍କ ନିଦ ଭାଙ୍ଗି ଯିବାରୁ କିଏ ବୋଲି ପାଟି କରି ସେ ବାହାରି ଆସିବାରୁ ଚୋରମାନେ କୌଣସି ଧାରୁଆ ଅସ୍ତ୍ର ଓ ବାଡ଼ିରେ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲେ। ତା’ପରେ ହାଡ଼ିବନ୍ଧୁ ଓ ତାଙ୍କ ପୁଅବୋହୂ ଆସି ପ୍ରତିରୋଧ କରିବାରୁ, ସେମାନଙ୍କୁ ମଧ୍ୟ ଚୋରମାନେ ମରଣାନ୍ତକ ଆକ୍ରମଣ କରି କ୍ଷତବିକ୍ଷତ କରି ପକାଇଥିଲେ।

ହାଡ଼ିବନ୍ଧୁଙ୍କ ନାତୁଣୀଙ୍କୁ ମଧ୍ୟ ଚୋରମାନେ ଚଟକଣା ମାରିଥିଲେ। ହାଡ଼ିବନ୍ଧୁଙ୍କ ନାତୁଣୀଙ୍କ କହିବା ଅନୁସାରେ ସେମାନେ ଥିଲେ ତିନିଜଣ- ଜଣେ ଡେଙ୍ଗା, ଅନ୍ୟ ଦୁଇଜଣ ବାଙ୍ଗରା। ସେମାନେ ଭୁଜାଲି ଓ ବାଡ଼ି ଧରିଥିଲେ। ଏହାଛଡ଼ା ସମ୍ପୃକ୍ତ ଚୋରମାନେ ସେ ଗାଁର ଅନ୍ୟ ତିନିଟି ଘରେ ମଧ୍ୟ ଚୋରି କରିବାକୁ ଉଦ୍ୟମ କରିଥିଲେ ବୋଲି କୁହାଯାଉଛି।

ଆଳି ଥାନା ପୁଲିସ, କେନ୍ଦ୍ରାପଡ଼ା ଏସ୍‌ପି ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଚୋରମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରି ଗ୍ରାମବାସୀମାନେ ସକାଳୁ ଭରତପୁର ଛକ ଉପରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରଥିଲେ।ତଦନ୍ତ ପରେ ତୁରନ୍ତ ଗିରଫଦାରି ହେବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର କରାଯାଇଛି।

By amfnews

Related Post