Sat. Sep 5th, 2026

କିଲୋ ୪୨୦ ଟଙ୍କା ଦରରେ ମହମ ମିଶା ସେଓ କିଣି ଠକିଗଲେ କେନ୍ଦ୍ର ଖାଦ୍ୟମନ୍ତ୍ରୀ

280 Views

ନୂଆଦିଲ୍ଲୀ  : ବଜାରରେ ଫଳ ଏବଂ ପରିବାକୁ ସତେଜ ରଖିବା ପାଇଁ କେମିକାଲ ବ୍ୟବହାର ହେଉଥିବାର ନଜିର ରହିଛି। ଯାହାର ଶିକାର ହୁଅନ୍ତି ଦେଶର ସାଧାରଣ ଜନତା। ଏବେ ଦେଶର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଳାଶ ପାଶଓ୍ୱାନ୍ ଦିଲ୍ଲୀର ସବୁଠାରୁ ବଡ଼ ବଜାର କୁହାଯାଉଥିବା ଖାନ୍ ମାର୍କେଟରୁ ସେଓ କିଣି ଠକିଯାଇଛନ୍ତି। କାରଣ ୪୨୦ ଟଙ୍କା ଦେଇ କିଣା ହୋଇଥିବା ସେଓରେ ମହମ ମିଶାଯାଇଥିଲା।

ରବିବାର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ରୁଷୀୟ ସାଲାଡ୍‌ ଖାଇବା ପାଇଁ ଇଚ୍ଛା ହୋଇଥିଲା। ଏହାପରେ ତାଙ୍କ ସହାୟକଙ୍କୁ ବଜାରରୁ ଆବଶ୍ୟକ ସରଞ୍ଜାମ କିଣି ସାଲାଡ୍ ପ୍ରସ୍ତୁତ କରିବା ପାଇଁ କହିଥିଲେ। ସହାୟକ ଜଣଙ୍କ ଖାନ୍ ମାର୍କେଟର ଏକ ବଡ଼ ଦୋକାନରୁ ଯାଇ ଚିକ୍କଣିଆ ଓ ସତେଜ ଦେଖାଯାଉଥିବା ସେଓ କିଣି ଆଣିଥିଲେ। ଯାହାର କିଲୋ ପିଛା ଦାମ୍ ୪୨୦ ଟଙ୍କା ଥିଲା। ସାଲାଡ୍‌ ପ୍ରସ୍ତୁତ କରିବା ପାଇଁ ଯିବା ପୂର୍ବରୁ ସହାୟକ ଜଣଙ୍କ ସେଓଟିକୁ ଧୋଇଥିଲେ। ଏହି ସମୟରେ ସେଓଟି ହାତରୁ ଖସିଯାଉଥିଲା। ଯାହାକୁ ନେଇ ସହାୟକ ସନ୍ଦେହ ପ୍ରକାଶ କରି ସେଓକୁ ଛୁରୀରେ କାଟିଥିଲେ। ଏହାପରେ ଜଣାପଡ଼ିଥିଲା ସେଓରେ ପ୍ରଚୁର ପରିମାଣରେ ମହମ ଲଗାଯାଇଛି। ଯେଉଁଥିପାଇଁ ସେଓଟି ସତେଜ ଦେଖାଯିବା ସହିତ ହାତରୁ ଖସି ଯାଉଛି।

ଏହାପରେ ସହାୟକ ଜଣଙ୍କ ମନ୍ତ୍ରୀ ପାଶଓ୍ୱାନଙ୍କୁ ଏ ବାବଦରେ କହିଥିଲେ। ସେଓର ଦାମ ମଧ୍ୟ ଶୁଣି ରାମ ବିଳାଶ ପାଶଓ୍ୱାନ ଚକିତ ହୋଇଯାଇଥିଲେ। ଏହାପରେ ତାଙ୍କ ବିଭାଗର ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଇଥିଲେ ପାଶଓ୍ୱାନ୍।

ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସେଓ କିଣାଯାଇଥିବା ଦୋକାନ ଉପରେ ସରକାରୀ ଅଧିକାରୀ ଚଢ଼ଉ କରିଥିଲେ। ଦୋକାନୀ ବିକ୍ରି କରୁଥିବା ସମସ୍ତ ସେଓକୁ ହଟାଇ ଦିଆଯାଇଥିଲା ଏବଂ ଦୋକନୀ ବିରୋଧରେ ମୋଟା ଅଙ୍କର ଚାଲାଣ ମଧ୍ୟ କାଟିଛନ୍ତି ସରକାରୀ ଅଧିକାରୀ। ଦୋକାନୀ ଜଣକ ଆଜାଦପୁର ମଣ୍ଡୀରୁ ଏହି ସବୁ ସେଓ କିଣିଥିବା ରେଡ୍ ବେଳେ କହିଛି।

By amfnews

Related Post