Sat. Jul 25th, 2026

କାୟା ମେଲାଉଛନ୍ତି ବ୍ରାଉନ୍‌ସୁଗାର୍‌ ବେପାରୀ

198 Views

ଗୋପ : ଚୋରା ମଦ ବେପାର ପରେ ଏବେ ଗୋପ ଅଞ୍ଚଳରେ ବ୍ରାଉନ୍‌ସୁଗାର୍‌ର ଅବାଧ କାରବାର ଚାଲିଛି। କଲେଜ ଓ ସ୍କୁଲ୍‌ ଛାତ୍ରଙ୍କ ସହ ନାବାଳକମାନେ ଏହାର ଶିକାର ହେଉଛନ୍ତି। ନିମାପଡ଼ାରୁ କିଛି ଚୋରା ବେପାରୀ ଗୋପ ଅଞ୍ଚଳରେ ଏଭଳି ରୢାକେଟ୍‌ ଚଳାଇଥିବା ଜଣାପଡ଼ିଛି। ଏହି ବେପାରୀମାନେ କଲେଜ ଛାତ୍ରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଗାଁ ଗହଳିରୁ ନୂଆ ନୂଆ କଲେଜ ଆସିବା ପରେ କିଛି ଛାତ୍ର ବିଡି, ସିଗାରେଟ୍ ଏବଂ ଏବେ ବ୍ରାଉନ୍‌ସୁଗାର କବଳରେ ପଡ଼ିବା ପରେ ସେମାନଙ୍କର ଭବିଷ୍ୟତକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ବେପାରୀମାନେ ପ୍ରଥମେ ଛାତ୍ରମାନଙ୍କୁ ମାଗଣାରେ ବ୍ରାଉନ୍‌ସୁଗାର ବିକ୍ରି କରୁଛନ୍ତି। ଛାତ୍ରମାନେ ଅଭ୍ୟାସରେ ପଡ଼ିଗଲା ପରେ ବେପାରୀମାନେ ସେମାନଙ୍କଠାରୁ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି। ନିଶାଗ୍ରସ୍ତ ହେବା ପରେ ଛାତ୍ରମାନେ ଚୋରି କରିବା ସହ ଘରେ ଝଗଡ଼ା କରି ଟଙ୍କା ଆଣି ନିଶା ସେବନ କରୁଛନ୍ତି। ଗୋପ ଅଂଚଳରେ ନିଶା କାରବାର ଜୋରରେ ଚାଲିଥିବା ବେଳେ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି। ସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ବେପାର ଚାଲୁଛି। ସନ୍ଧ୍ୟା ସମୟରେ ଗୋପ ସେତୁ ଉପରେ ମଦୁଆଙ୍କ ସହିତ ବ୍ରାଉନ୍‌ସୁଗାର ସେବନ କରୁଥିବା ଯୁବକମାନଙ୍କର ଭିଡ଼ ଦେଖିବାକୁ ମିଳୁଛି। ଏପରିକି ସନ୍ଧ୍ୟା ସମୟରେ ଏହି ସେତୁ ଦେଇ ଯିବା ଆସିବା କରିବାକୁ ଲୋକମାନେ ଭୟ କଲେଣି। ତୁରନ୍ତ ଏହି ଚୋରା ବେପାରୀମାନଙ୍କୁ ଗିରଫ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

By amfnews

Related Post