Tue. Sep 29th, 2026

କାମାକ୍ଷାନଗର: ରାତିରେ ଯାଉଥିଲେ ଭଉଣୀ ଘର, ସକାଳୁ ରାସ୍ତାରେ ମିଳିଲା ଯୁବକଙ୍କ ମୃତଦେହ

281 Views

କାମାକ୍ଷାନଗର, ଡିସେମ୍ବର ୧୫ : ଆଜି ସକାଳୁ ଢେଙ୍କାନାଳ ଜିଲ୍ଳା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହାତୀଲୋଚଣି ଛକ ନିକଟରେ ଜଣେ ଯୁବକଙ୍କର ମୃତଦେହ ଠାବ ହୋଇଛି। ମୃତଦେହ ନିକଟରେ ତାଙ୍କ ବାଇକ୍‌ଟି ପଡ଼ିଥିବାରୁ ତାଙ୍କୁ କୌଣସି ଅଜଣା ଗାଡ଼ି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ଯୁବକ ଜଣକ ଗତକାଲି ରାତିରେ ନିଜ ଭଉଣୀ ଘରକୁ ଯିବାକୁ କହି ଘରୁ ବାଇକ୍‌ରେ ବାହାରିଥିଲେ। ମାତ୍ର ଭଉଣୀ ଘରେ ପହଞ୍ଚି ନ ଥିଲେ। ବାଟରେ ଏକ ସଡ଼କ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିିବା ନେଇ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ପରଜଙ୍ଗ ଥାନା ଅନ୍ତର୍ଗତ ହାତୀଲୋଚଣୀ ନିକଟରେ ଜଣେ ଯୁବକଙ୍କ ମୃତଦେହଓ ବାଇକ ରାସ୍ତାକଡ଼କୁ ଲାଗି ପଡ଼ିଥିବା ଆଜି ସକାଳେ ଲୋକେ ଦେଖିଥିଲେ। ଏହା ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ପରେ ଯୁବକ ଜଣକ ସିଙ୍ଗଡ଼ା ଗ୍ରାମର ପାଣ୍ଡବ ସାହୁ (୨୨ ବର୍ଷ)ବୋଲି ଜଣାପଡ଼ିଥିଲା।

ପାଣ୍ଡବଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ପାଣ୍ଡବ ଭଉଣୀ ଘରକୁ ଯାଉଛନ୍ତି ବୋଲି କହି ଘରୁ ବାହାରିଥଲେ। ତେବେ ବାଟରେ ସେ ଦୁର୍ଘଟଣାର ଶିକାର ହୋଇଥିିବା କଥା କେହି ଜାଣି ପାରି ନ ଥିଲେ। ପରିବାର ଲୋକେ ଭଉଣୀ ଘରେ ପାଣ୍ଡବ ରାତିରେ ରହିଯାଇଥିବା ଭାବି ଆଉ ଖୋଜ୍‌ ଖବର ନେଇ ନ ଥିଲେ। ଆଜି ସକାଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ଯୁବକଙ୍କୁ କୌଣସି ଅଜଣା ଗାଡ଼ି ଧକ୍କା ଦେଇଥିବା କୁହାଯାଉଛି।

By amfnews

Related Post