Thu. Jul 30th, 2026

କାନନବିହାର ଫେଜ୍‌-୧ ଡକାୟତି ଘଟଣା, ଧଉଳି ଏକ୍ସପ୍ରେସ୍‌ରୁ ଧରାହେଲେ ୪

395 Views

ଚନ୍ଦ୍ରଶେଖରପୁର: କାନନବିହାର ଫେଜ୍‌-୧ରେ ରହୁଥିବା ଅବସରପ୍ରାପ୍ତ ସେନା କର୍ମଚାରୀ ସୁଧାକାର ଦାସଙ୍କ ଘରୁ ଡକାୟତି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ କୋଲକାତା ଯାଉଥିବା ଧଉଳି ଏକ୍ସପ୍ରେସ୍‌ରେ ଫେରାର ହେବାକୁ ଯୋଜନା କରୁଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେମାନଙ୍କୁ କାବୁ କରିଥିଲା।

ସେମାନଙ୍କଠାରୁ ଶ୍ରୀ ଦାସଙ୍କ ସାନ ପୁଅର ଏକ ଦାମୀ ମୋବାଇଲ୍ ଫୋନ୍ ପୁଲିସ୍ ଜବତ କରିଛି। ତେବେ ସେମାନଙ୍କ ଅନ୍ୟ ସହଯୋଗୀ ଭୁବନେଶ୍ବର ଛାଡ଼ି ଦେଇଥିବା ପୁଲିସ କହିଛି। ସମସ୍ତେ ଡକାୟତି ଘଟଣାରେ ସାମିଲ ଅଛନ୍ତି କି ନାହିଁ ସିସିଟିଭି ଫୁଟେଜ୍ ସହିତ ସେମାନଙ୍କ ଚେହେରକୁ ମେଳ କରାଯାଇଥିଲା।

ଏଥିରୁ ସେମାନେ ଡକାୟତି ଘଟଣାରେ ସାମିଲ ଥିବା ସ୍ପଷ୍ଟ ହୋଇଛି ବୋଲି ପୁଲିସ କହିଛି। ସୂଚନା ଅନୁଯାୟୀ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ବିଶ୍ବରଂଜନ ନାୟକ ଓ ତାଙ୍କ ଟିମ୍ ମଧ୍ୟାହ୍ନରେ ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ପହଞ୍ଚି ଧଉଳି ଏକ୍ସପ୍ରେସ୍ ଭିତରୁ ଅଭିଯୁକ୍ତଙ୍କୁ କାବୁ କରିଥିଲା। ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡରେ ଅଣାଯାଇ ଅନ୍ୟ ସହଯୋଗୀଙ୍କ ବିଷୟରେ ଜେରା କରାଯିବ ବୋଲି ପୁଲିସ କହିଛି।

By amfnews

Related Post