Tue. Sep 29th, 2026

କଶ୍ମୀରରେ ସେଟ୍ ଅପ୍ ବକ୍ସ ଓ ଏଫଏମ୍ ରେଡିଓର ଚାହିଦା ବୃଦ୍ଧି

295 Views

ଶ୍ରୀନଗର  : ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବାର ଦୁଇ ଦିନ ପୂର୍ବରୁ କଶ୍ମୀରରେ ଇଣ୍ଟରନେଟ୍, ମୋବାଇଲ ଓ କେବୁଲ୍ ଟିଭି ସେବା ବନ୍ଦ ରହିଛି। ଏବେ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କୋହଳ ହେବା ପରେ ଜମ୍ମୁ କଶ୍ମୀର ବାସୀ ନିଜ ଅଞ୍ଚଳର ଖବର ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ କେବୁଲ୍ ଟିଭି ବଦଳରେ ସେଟ୍ ଅପ୍ ବକ୍ସ ଏବଂ ଯେଉଁମାନେ ଡିଟିଏଚ ବିଲ୍ ଦେଇ ପାରୁନାହାନ୍ତି ସେମାନେ ରେଡିଓ କିଣୁଥିବାର ଦେଖିବାକୁ ମିଳିଛି।

ପୂର୍ବରୁ ରେଡିଓ ବିକ୍ରୀ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଏବେ କିନ୍ତୁ ଏହାର ଚାହିଦା ଆକାଶ ଛୁଆଁ ହୋଇଛି କଶ୍ମୀରରେ। ‘ଡିଶ୍ ଟିଭି ସେଟ୍ ଅପ୍ ବକ୍ସ’ ସେବା ପ୍ରଦାନ କରୁଥିବା ଏଜେଣ୍ଟ ଅବଦୁଲ୍ ହମିଦ୍ କହିଛନ୍ତି ୧୪୪ ଧାରା କୋହଳ ହେବା ପରେ ସେ ଦୁଇ ଡଜନରୁ ଅଧିକ ସେଟ୍ ଟପ୍ ବକ୍ସ ବିକ୍ରୀ କରିସାରିଲେଣି। ମୋବାଇଲ୍ ସେବା ବ୍ୟାହତ ରହିଥିବା ବେଳେ ଲ୍ୟାଣ୍ଡ ଫୋନକୁ ସଂଯୋଗ କରି ଡିଟିଏଚ୍ ସେବାକୁ ଲୋକମାନେ ଚାଲୁ କରୁଛନ୍ତି।

ଧାରା ୩୭୦ ଉଚ୍ଛେଦ ହେବା ପରେ ମୋବାଇଲ୍ ସେବା ଏବେ ବି ଅଧିକାଂଶ ସ୍ଥାନରେ ବ୍ୟାହତ ରହିଛି। କେବଳ ବିଏସଏନଏଲ ଅଧିକାଂଶ ସ୍ଥାନରେ ଲ୍ୟାଣ୍ଡଲାଇନ୍ ସେବାକୁ ପୁନଃ ସଂଯୋଗ କରିଛି। ଜମ୍ମୁ କଶ୍ମୀରରେ ଉଭୟ ମୋବାଇଲ୍ ଓ ଲ୍ୟାଣ୍ଡଲାଇନ୍ ସେବା ଦେଖିବାକୁ ମିଳିଥାଏ। ଆତଙ୍କବାଦୀମାନେ ମୋବାଇଲ୍ ଟାଓ୍ୱାରକୁ ଉଡ଼ାଇଦେବାର ସମ୍ଭାବନା ଅଧିକ ରହିଥିବାରୁ ଏଠିକାର ଲୋକମାନେ ଲ୍ୟାଣ୍ଡଲାଇନ୍ ସେବା ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ସେହିପରି ଏଫଏମ୍ ରେଡିଓ କିଣି ଲୋକମାନେ ଏହା ମାଧ୍ୟମରେ ଗୀତ ଶୁଣିବା ସାଙ୍ଗକୁ ଖବର ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

By amfnews

Related Post