Sun. May 17th, 2026

କଶ୍ମୀରରେ ମେହବୁବା ମୁଫ୍‌ତିଙ୍କୁ ଭେଟିବାକୁ ଝିଅକୁ ଅନୁମତି ଦେଲେ ସୁପ୍ରିମ୍‌ କୋର୍ଟ

271 Views

ନୂଆଦିଲ୍ଲୀ : ଗୁରୁବାର ଦିନ ଜମ୍ମୁ ଓ କଶ୍ମୀର ସଂକ୍ରାନ୍ତ କେତେଗୁଡ଼ିଏ ପିଟିସନ୍‌ ଶୁଣାଣି ସମୟରେ ସୁପ୍ରିମ୍‌ କୋର୍ଟ ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କୁ ଭେଟିବାକୁ ତାଙ୍କ ଝିଅଙ୍କୁ ଅନୁମତି ଦେଇଛନ୍ତି। ଅଗଷ୍ଟ ପ୍ରାରମ୍ଭରେ ଜମ୍ମୁ ଓ କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ହେବା ସମୟରେ ମୁଫ୍‌ତିଙ୍କୁ ଅନ୍ୟ ନେତୃବୃନ୍ଦଙ୍କ ସହ ଅଟକ ରଖାଯାଇଛି। ଚିକିତ୍ସା ନିମନ୍ତେ ସିପିଏମ୍‌ ନେତା ୟୁସୁଫ୍‌ ତାରିଗାମିଙ୍କୁ ଦିଲ୍ଲୀ ଏମ୍‌ସ୍‌କୁ ନେବା ନିମନ୍ତେ ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି।

ନେତାମାନଙ୍କ ଗିରଫଦାରି, ଚଳପ୍ରଚଳରେ କଟକଣା ଏବଂ ବେସାମରିକ ଲୋକମାନଙ୍କର ସ୍ୱାଧୀନତା ରଦ୍ଦ ଆଦି ସଂକ୍ରାନ୍ତରେ ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରୁଥିଲେ ସୁପ୍ରିମ୍‌ କୋର୍ଟ। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ର ଶୁଣାଣି ଅନ୍ୟ ଏକ ଦିନ କରାଯିବାକୁ ଏକ ସାମ୍ବିଧାନିକ ଖଣ୍ଡପୀଠରେ ଦାଖଲ କରାଯାଇଛି।

ମାଆଙ୍କୁ ଭେଟିବା ପାଇଁ ଅନୁମତି ଦେବା ନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେବାକୁ ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ଇଲ୍‌ତିଜା ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ। ଆଦେଶରେ କୋର୍ଟ କହିଛନ୍ତି: ଶ୍ରୀନଗରକୁ ଫେରି ତାଙ୍କ ମାଆଙ୍କୁ ଭେଟିବାରେ ଆବେଦନକାରୀଙ୍କୁ ଅଟକାଇବା ରାଜ୍ୟର ଉଦ୍ଦେଶ୍ୟ ନୁହେଁ…ସେ ଶ୍ରୀନଗର ଫେରି ନିରୋଳାରେ ତାଙ୍କ ମାଆଙ୍କୁ ଭେଟି ପାରିବେ। ଶ୍ରୀନଗରର ଅନ୍ୟ ଅଞ୍ଚଳକୁ ଯିବା ନିମନ୍ତେ ମଧ୍ୟ ଆବେଦନକାରୀ ପ୍ରତି କୌଣସି ପ୍ରତିବନ୍ଧକ ନାହିଁ, କିନ୍ତୁ ଏଥି ନିମନ୍ତେ ଜିଲ୍ଳା କର୍ତ୍ତୃପକ୍ଷଙ୍କ ଠାରୁ ଆବଶ୍ୟକ ଅନୁମତି ଲୋଡ଼ା।

By amfnews

Related Post