Sat. Jul 25th, 2026

କଶ୍ମୀର ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ପାଇଁ ଦାବି କଲା ପାକିସ୍ତାନ

221 Views

ଇସଲାମାବାଦ : କଶ୍ମୀର ପ୍ରସଙ୍ଗରେ ଅଧିକାଂଶ ଦେଶ ପାଖରୁ ନିରାଶ ହେବା ପରେ ଜାତିସଂଘ ସୁରକ୍ଷା ପରିଷଦର ସଭାପତିଙ୍କ ଶରଣରେ ପଶିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ଜରୁରୀକାଳୀନ ବୈଠକ ଡ଼ାକିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦକୁ ନିବେଦନ କରିଛି ପାକିସ୍ତାନ। ମଙ୍ଗଳବାର ରାତିରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତି ଅସାମ୍ୱିଧାନିକ। ଭାରତର ଏଭଳି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ହୋଇଥିବା ଶିମଲା ଚୁକ୍ତିକୁ ଉଲ୍ଲଂଘନ କରୁଛି ବୋଲି ପାକ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ସେ ପୋଲାଣ୍ଡର ବୈଦେଶିକ ମନ୍ତ୍ରୀ ଜାକଙ୍କୁ ମଧ୍ୟ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛନ୍ତି। ଜବାବରେ ପୋଲାଣ୍ଡ ବୈଦେଶିକ ମନ୍ତ୍ରୀ କହିଛନ୍ତି ଏହା ଦୁଇ ଦେଶ ମଧ୍ୟରେ ବିବାଦ। ଦ୍ୱିପାକ୍ଷିକ ଚୁକ୍ତି ମାଧ୍ୟମରେ ଏହାର ସମାଧାନ ହେବା ଉଚିତ୍।

ସୂଚନାଯୋଗ୍ୟ, କଶ୍ମୀର ପ୍ରସଙ୍ଗରେ ଭାରତ ନେଇଥିବା ନିଷ୍ପତ୍ତିକୁ ପାକିସ୍ତାନ ବିରୋଧ କରିଆସୁଛି। ଏ ନେଇ ଆମେରିକା, ରଷିଆ, ଚାଇନା ଆଦି ଦେଶର ହସ୍ତକ୍ଷେପ ଲୋଡ଼ିଥିଲା ପାକିସ୍ତାନ। ହେଲେ ଏହି ସମସ୍ତ ଦେଶ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।

By amfnews

Related Post