Wed. Aug 12th, 2026

କଳାରେ କହିବେ ‘ସବୁଦିନ ସ୍କୁଲ୍‌ ଯାଅ’

427 Views

ଭୁବନେଶ୍ୱର : ସ୍କୁଲ୍‌ ଯିବାକୁ ପିଲାଙ୍କୁ ବୁଝାଇବେ କଳାକାର। ପିତାମାତାଙ୍କୁ ବି ସଚେତନ କରାଇବେ। ଗାଁ ଗାଁ ବୁଲି ଏଭଳି ସଚେତନତା ସୃଷ୍ଟି କରିବେ ପାରମ୍ପରିକ କଳାକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଦ୍ୟାଳୟ ଉପସ୍ଥାନ ଅଭିଯାନ ‘ସବୁଦିନ ଯିବା ସ୍କୁଲ୍‌’ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଏପରି ଯୋଜନା କରାଯାଇଛି।

ୟୁନିସେଫ୍ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଅଭି‌େଲଖାଗାରରେ ଆଜି ଏନେଇ ଲୋକକଳା କଳାକାରଙ୍କୁ ତାଲିମ୍‌ ଦେବା ଆରମ୍ଭ ହୋଇଛି। ପ୍ରାଥମିକସ୍ତରରେ ସ୍କୁଲ୍‌ ପିଲାଙ୍କ ମଧ୍ୟରେ ନିୟମିତ ଉପସ୍ଥାନ ହାର ବୃଦ୍ଧି କରିବା ଏବଂ ଛାତ୍ରଛାତ୍ରୀମାନେ କିଭଳି ସବୁଦିନ ସ୍କୁଲ୍‌ ଯିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେନେଇ ବିଭିନ୍ନ କୌଶଳ ଆପଣେଇବାକୁ ବିଭିନ୍ନ ଲୋକକଳା ଦଳକୁ ତାଲିମ୍‌ ଦିଆଯାଇଛି। ଏହି ଅବସରରେ କଳାକାର ଓ ସେମାନଙ୍କ ଦଳ ମୁଖିଆଙ୍କ ସହ ଆଲୋଚନା ହୋଇଥିଲା। ପ୍ରଶିକ୍ଷକମାନେ ପାୱାର୍‌ପଏଣ୍ଟ୍‌ ଉପସ୍ଥାପନ କରି ବିଭିନ୍ନ କୌଶଳ ବତାଇଥିଲେ।

ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କଳା ସଂସ୍କୃତି ସଂଘର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦେଶକ ସଂଘମିତ୍ରା ଶତପଥୀ, ୟୁନିସେଫ୍‌ର ପରାମର୍ଶଦାତା ମଞ୍ଜରୀ ଶାହା, ଲୋପାମୁଦ୍ରା ତ୍ରିପାଠୀ, ରୁଦ୍ରପ୍ରସନ୍ନ ରଥ ପ୍ରମୁଖ ପ୍ରଶିକ୍ଷଣ ପୂର୍ବ ସଭାରେ ଉପସ୍ଥିତ ରହି ଉପାଦେୟ କଥା କହିଥିଲେ। ସଂସ୍କୃତି ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ବୁଝାଇଥିଲେ।

By amfnews

Related Post