Sat. Apr 25th, 2026

କରୋନା ସମ୍ପର୍କରେ ପ୍ରଥମେ ସତର୍କ କରାଇଥିବା ଡାକ୍ତରଙ୍କର ମୃତ୍ୟୁ

207 Views

ବେଜିଂ: ଚୀନରେ କରୋନା ଭାଇରସ୍‌ ସଂପର୍କରେ ଯେଉଁ ଡାକ୍ତର ପ୍ରଥମେ ଲୋକଙ୍କୁ ସତର୍କ କରାଇଥିଲେ, ଶେଷରେ ସେହି ଘାତକ କରୋନା ଭାଇରସରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ଙ୍କର ମୃତ୍ୟୁ ଘଟିଛି। ଚୀନର ସରକାରୀ ମିଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏବେ ଡାକ୍ତର ଲିଙ୍କ ମୃତ୍ୟୁ ପରେ ଚାଇନାର ନାଗରିକ ମାନେ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ଚାଇନାର ଆଣ୍ଚି ଗ୍ରାଫ୍ଟ ଓ୍ୱାଚଡଗ ପକ୍ଷରୁ କୁହାଯାଇଛି।

କରୋନାର ଉତ୍ପତ୍ତୀ ସ୍ଥଳ କୁହାଯାଉଥିବା ଉହାନର ସେଣ୍ଟ୍ରାଲ ହସ୍ପିଟାଲରେ ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ ନିୟୋଜିତ ଥିଲେ। ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ କରୋନା ବାବଦରେ ପ୍ରଥମେ ଡିସେମ୍ୱର ୩୦ରେ ତାଙ୍କର ସାଙ୍ଗକୁ ଚାଇନାର ସୋଶାଲ ମିଡିଆ କମ୍ପାନୀ ଉଈ ଚାଟ୍ (WE CHAT) ଜରିଆରେ ମେସେଜ କରି କହିଥିଲେ। ଏହାପରେ ସେହି ମେସେଜର ସ୍କ୍ରିନଶଟ୍ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଚାଇନା ସରକାର ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ ଗୁଜବ ଖବର ପ୍ରଚାର କରୁଥିବା ଅଭିଯୋଗରେ ତାଙ୍କୁ ବହିସ୍କାର କରିଥିଲେ।

ଗତ ବର୍ଷ ଡିସେମ୍ବରରେ ଯେତେବେଳେ ଚୀନର ଉହାନ୍‌ରେ ପ୍ରଥମେ କରୋନା ଦେଖା ଦେଇଥିଲା, ସେତେବେଳେ ୩୪ ବର୍ଷୀୟ ଲି ହିଁ ନିଜ ସାଥୀ ଡାକ୍ତରଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ। କିଛି ଲୋକ SARS ପରି ସଂକ୍ରମଣରେ ପୀଡ଼ିତ ଓ ସେମାନଙ୍କୁ ହସ୍ପିଟାଲର ପୃଥକ ପୃଥକ ୱାର୍ଡରେ  ରଖାଯାଇଥିବା କଥା ସେ ସୋଶାଲ୍‌ ମିଡିଆରେ ସହଯୋଗୀ ଡାକ୍ତରଙ୍କୁ କହିଥିଲେ। କରୋନା ଭାଇରସ୍ ଫ୍ୟାମିଲିର ଏକ ଭୂତାଣୁ ଦ୍ୱାରା ସେମାନେ ପୀଡ଼ିତ ହୋଇଥିବା କଥା ମଧ୍ୟ କହିଥିଲେ ଲି ୱେନ୍‌ଲିଆଙ୍ଗ୍‌।ହେଲେ ଏହି ସୂଚନା ପାଇଁ ଲିଙ୍କ ସମେତ ୮ ଜଣଙ୍କୁ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ପୁଲିସ୍‌ ସେମାନଙ୍କୁ ସମନ କରିଥିଲା।

ସୂଚନାଯୋଗ୍ୟ, କରୋନା ଭାଇରସରେ ଚୀନରେ ମୃତ୍ୟୁ ସଂଖ୍ୟା ୫୬୦ ଟପିଥିବା ବେଳେ ଏଥିରେ ୨୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

By amfnews

Related Post