Sun. Apr 26th, 2026

କରୋନା ମୁକାବିଲା; ଭୁବନେଶ୍ୱରରେ ନମୂନା ସଂଗ୍ରହ ଆରମ୍ଭ

230 Views

ଭୁବନେଶ୍ୱର : କରୋନା ମୁକାବିଲା ନିମନ୍ତେ ଆଜି ଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ନମୂନା ସଂଗ୍ରହ ପ୍ରକ୍ରିୟା। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ୧୩ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ରେ ଡାକ୍ତର, ଶିକ୍ଷକ, ପୁଲିସ୍ ଓ ପରିମଳ କର୍ମଚାରୀ ସାମିଲ ହୋଇଛନ୍ତି। ଏହି ୧୩ଟି ଟିମ୍ ଦୁଇଟି ସିଫ୍ଟରେ ସାମ୍ପଲ ସଂଗ୍ରହ କରିବେ। ପ୍ରଥମ ସିଫ୍ଟରେ ସକାଳ ୮ଟାରୁ ଦିନ ୧୧ଟା ଯାଏ ନମୂନା ସଂଗ୍ରହ କରାଯିବ। ସେହିପରି ଦ୍ୱିତୀୟ ସିଫ୍ଟରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନମୂନା ସଂଗ୍ରହ କରାଯିବ।

ଭୁବନେଶ୍ୱରରେ ୭ ଦିନରେ ୫୦୦୦ ନମୂନା ଟେଷ୍ଟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଗତକାଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭୁବନେଶ୍ୱର କରୋନାର ହଟ୍‌ସ୍ପଟ୍ ଭାବେ ଚିହ୍ନଟ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୦୦୦ ନମୂନା ଟେଷ୍ଟ କରାଗଲେ ଏକ ସ୍ପଷ୍ଟ ଚିତ୍ର ମିଳିପାରିବ।

ଶ୍ରୀ ତ୍ରିପାଠୀ ଏହା ମଧ୍ୟ କହିଥିଲେ ଯେ ୪ଟି ବର୍ଗର ଲୋକଙ୍କୁ ଚୟନ କରାଯାଇ ସାମ୍ପଲ ନିଆଯିବ। ଟ୍ରାଭେଲ ହିଷ୍ଟ୍ରି ଥିବା ଲୋକ ଓ ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ ନିଆଯିବ। ତା’ସହିତ ସ୍ୱାସ୍ଥ୍ୟ କର୍ମୀ, ପୁଲିସ୍ ଓ ପରିମଳ କର୍ମଚାରୀଙ୍କ ସାମ୍ପଲ ଟେଷ୍ଟ ହେବ। ୬୦ ବର୍ଷରୁ ଅଧିକ ବୟସ୍କ ଓ ପୂର୍ବରୁ ରୋଗ ଥିବା ଲୋକଙ୍କର ମଧ୍ୟ ନମୂନା ପରୀକ୍ଷା ହେବ। ସାମ୍ପଲ ସଂଗ୍ରହ ବେଳେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ଆଜି ସୁଦ୍ଧା ରାଜ୍ୟରେ ମୋଟ ୮,୬୧୯ନମୂନା ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୮,୫୫୯ ନେଗେଟିଭ୍ ଆସିଛି। ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୩୮ ଜଣ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କେବଳ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

By amfnews

Related Post