Thu. Jun 11th, 2026

କରୋନା ମାଡ଼କୁ ପ୍ରବଳ ବର୍ଷା ବଢାଇଲା ଦୁର୍ଦ୍ଦଶା

322 Views

ବୌଦ୍ଧ : ଜିଲ୍ଲାରେ ଦୀର୍ଘ ପନ୍ଦର ଦିନ ହେଲା କରୋନା ପ୍ରତିରୋଧରେ ଲକଡାଉନ ଚାଲିଥିବା ବେଳେ ବୁଧବାର ଜିଲ୍ଲାର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଗରିବ ଚାଷୀଙ୍କ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି। ସକାଳ ୬ରୁ ୧୧ଟା ଯାଏଁ ଦୈନିକ ପରିବା ବଜାର ବସାଇବାକୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଆଜି ମଧ୍ୟ ଜିଲ୍ଲାର ଆଖପାଖ ଅଂଚଳରୁ ଚାଷୀ ଓ ଛୋଟଛୋଟ ପରିବା ବିକାଳୀ ବଜାରରେ ପହଂଚିବା ପରେ ସ୍ଥାନୀୟ ଭୈରବୀ ପଡିଆ, ବସଷ୍ଟାଣ୍ଡ ଓ ଜଗନ୍ନାଥ ମନ୍ଦିର ପଡ଼ିଆରେ ପରିବା ହାଟ ବସାଇଥିଲେ।

ମାତ୍ର ସକାଳୁ ସକାଳୁ ହିଁ ପ୍ରବଳ ବର୍ଷା ହେବାରୁ ପନିପରିବା ଅଚାନକ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି। କେବଳ ସେତିକି ନୁହେଁ ବେପାରୀମାନେ ପ୍ରାୟ ଦୁଇ ଘଣ୍ଟା ଧରି ବର୍ଷାରେ ଭିଜି ଭିଜି ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ଲକଡାଉନରେ ଜିଲ୍ଲାର ପଂଚାୟତ ସ୍ତରରେ ବସୁଥିବା ହାଟ ଗୁଡିକ ବନ୍ଦ ରହିଛି। ଚାଷୀ ଓ ପରିବା ବେପାରୀଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ବେହାଲ ହେବାରେ ଲାଗିଛି।

କାଁ ଭାଁ ଓ ମାତ୍ର କିଛି ଘଣ୍ଟା ପାଇଁ ବସୁଥିବା ପରିବା ବଜାର ହିଁ ସେମାନଙ୍କ ପାଇଁ ଭରସା। ଏଭଳି ଘଡିସନ୍ଧି ସମୟରେ ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ଷା କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବା ବଜାର ବସାଇବା ପାଇଁ ବେପାରୀଙ୍କୁ ଅଧିକ ଦୁଇ ଘଣ୍ଟା ଅର୍ଥାତ ଦିନ ଗୋଟାଏ ପର୍ଯ୍ୟନ୍ତ ଅନୁମତି ଦେଇଛନ୍ତି ଜିଲ୍ଲାପାଳ ଲଲଟେନ୍ଦୁ ମିଶ୍ର। ଅପରପକ୍ଷେ ଜିଲ୍ଲାର ମନମୁଣ୍ଡା ସମେତ କଣ୍ଟାମାଳ ବ୍ଲକର କିଛି ଅଂଚଳରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ମଧ୍ୟ ହୋଇଛି। ଲକଡାଉନ କାରଣରୁ ଅନେକ ଚାଷୀଙ୍କ ତରଭୁଜ, ଟମାଟୋ ଓ ଅନ୍ୟ ପନିପରିବା ବିଲରେ ହିଁ ପଡିରହିଛି।

By amfnews

Related Post