Fri. Apr 24th, 2026
367 Views

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଘୁ.ଉଦୟଗିରି ଅଞ୍ଚଳରେ ଏକ ୫ ବର୍ଷର ଶିଶୁ କନ୍ୟ‌ା ଦୁଷ୍କର୍ମର ଶିକାର ହେବା ଭଳି କୁକର୍ମ ମନରୁ ନଲିଭୁଣୁ ପୁଣି ସେହି ଅଞ୍ଚଳରେ ଆଉ ଏକ ଘଟଣା ପଦାକୁ ଆସିଛି। ଘୁ.ଉଦୟଗିରି ଥାନା ରାଇକଲା ଗ୍ରାମରେ ଜଣେ ନାବାଳିକା ନିଜ ପଡୋଶୀ ଉଚ୍ଚ ଶିକ୍ଷିତ ଓ ବାପା ବୟସର ବ୍ୟକ୍ତିଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଅଭିଯୁକ୍ତ ଜଣକ ଏକ ସ୍ବେଚ୍ଛାସେବୀ ସଂଗଠନ ସଂଚାଳକ।

ଗତ ୧୩ ତାରିଖ ଦିନ ସମ୍ପୃକ୍ତ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ୨୦ ତାରିଖରେ ପୀଡିତା ଜଣକ ସୁସ୍ଥ ହେବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏ ନେଇ ପୀଡିତାଙ୍କ ଭାଇ ଥାନାରେ ଏତଲା ଦେବା ପରେ ପୁଲିସ କେସ ନଂ ୫୨/୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ଅଧିକାରୀ କୌଶଲ୍ୟା ବେହେରା ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତା ନାବାଳିକାଙ୍କ ବୟାନ ନେବା ସହ ଡାକ୍ତରୀ ମାଇନା କରାଇ ଥିବା ଜଣାପଡିଛି।

ଏହାପରେ, ଅଭିଯୁକ୍ତ ଜିତେନ୍ଦ୍ର ଦିଗାଳକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ନାମରେ ଆଇପିସିର ୩୭୬ ଓ ୩, ୪ ପକ୍‌ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରା ଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନ‌ା ଦେଇଛନ୍ତି।

ଅଭିଯୁକ୍ତ ଜିତେନ୍ଦ୍ର ଜଣେ ଉଚ୍ଚଶିକ୍ଷିତ। ସେ ଘୁ.ଉଦୟଗିରିରେ ଏକ କଲେଜରେ କିଛିଦିନ ଅଧ୍ୟାପକ ଥିଲା। ଏବେ ସେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଚଳାଇଥିବା ବେଳେ ତା’ ଦ୍ବାରା ପରିଚାଳିତ ହୋମ୍‌ରେ ବହୁ ଛାତ୍ରୀ ରହି ପାଠ ମଧ୍ୟ ପଢୁଛନ୍ତି।

ତେବେ କନ୍ଧମାଳ ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟି ଚାଲିଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ପଦକ୍ଷେପ ନିଆଯାଉଛି। ତଥାପି, କନ୍ଧମାଳରେ ଏଭଳି ଘଟଣା ଥମୁନାହିଁ।

By amfnews

Related Post