Thu. May 14th, 2026

କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷ ହେଲେ ସୋନିଆ

361 Views

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ନିଯୁକ୍ତ କରିବା ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିପାରି ନଥିବା ବା କଂଗ୍ରେସ ପକ୍ଷରୁ ଆଜି ସୋନିଆ ଗାନ୍ଧି ସଂସଦୀୟ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
ଆଜି ସକାଳେସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ୫୨ ଜଣ କଂଗ୍ରେସ ସାଂସଦଙ୍କୁ ନେଇ ସିପିପି ବୈଠକ ବସିଥିଲା। ଏହି ବୈଠକରେ ସୋନିଆଙ୍କୁ କଂଗ୍ରେସର ସଂସଦୀୟ ଦଳ ନେତା କରାଯାଇଛି। ବୈଠକ ଆରମ୍ଭ ହେବା ମାତ୍ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହିଁ ସୋନିଆଙ୍କୁ ସଂସଦୀୟ ନେତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ ସର୍ବସମ୍ମତିକ୍ରମେ ସୋନିଆଙ୍କ ନାଁରେ ମୋହର ବାଜିଥିଲା। ପୂର୍ବରୁ ମଧ୍ୟ ସୋନିଆ କଂଗ୍ରେସ ସଂସଦୀୟ ଦଳର ନେତା ଭାବେ କାର୍ଯ୍ୟ କରି ସାରିଛନ୍ତି।

ଆଜିର ବୈଠକ ପୂର୍ବରୁ ସୋନିଆ ଓ ରାହୁଲ ଗାନ୍ଧିଙ୍କ ନାଁ ଏହି ପଦ ପାଇଁ ଚର୍ଚ୍ଚା ହେଉଥିଲା। ସୋନିଆ ଉତ୍ତର ପ୍ରଦେଶର ବରେଲୀ ଆସନରୁ ନିର୍ବାଚିତ ହୋଇଛନ୍ତି। ଏବେ ସେ ୟୁପିଏ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ସିପିପି ବୈଠକରେ ଉଦ୍‌ବୋଧନ ଦେଇ ସୋନିଆ ୧୨.୧୩ କୋଟି ଭୋଟ୍‌ର କଂଗ୍ରେସ ପାର୍ଟି ଉପରେ ବିଶ୍ୱାସ ଦେଖାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବୈଠକରେ ଉପସ୍ଥିତ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମସ୍ତ ଦଳୀୟ କର୍ମୀଙ୍କୁ ପୂର୍ବଭଳି ସମ୍ବିଧାନକୁ ବଞ୍ଚାଇବା ପାଇଁ ଲଢ଼େଇ କରିବା ଦରକାର ବୋଲି କହିଛନ୍ତି। ଏଥିସହ ଧର୍ମ, ବର୍ଣ୍ଣ ଓ ଜାତି ନିର୍ବିଶେଷରେ କଂଗ୍ରେସ ସମସ୍ତ ଭାରତୀୟଙ୍କ ପାଇଁ କାର୍ଯ୍ୟ କରେ ଏବଂ ଆଗକୁ ଏହା ଜାରି ରହିବ ବୋଲି କହିଛନ୍ତି।
ଆଜିର ସିପିପି ବୈଠକରେ ସଂସଦରେ କଂଗ୍ରେସର ଆଭିମୁଖ୍ୟ କ’ଣ ରହିବ, ସେ ସମ୍ପର୍କରେ ମଧ୍ୟ ବରିଷ୍ଠ ନେତାମାନେ ନବନିର୍ବାଚିତ ସାଂସଦମାନଙ୍କ ସହ ଆଲୋଚନା କରିଛନ୍ତି।

By amfnews

Related Post