Fri. Apr 24th, 2026

ଓଡ଼ିଶାରେ ବଢୁଛି ଶୀତ, ୫ ରୁ ଆହୁରି ଥରାଇବ

293 Views

ଓଡ଼ିଶା ,ଅକ୍ଟୋବର ୩୧ : ଧୀରେଧୀରେ ରାଜ୍ୟକୁ ଛୁଉଁଛି ଶୀତ। ସାରା ରାଜ୍ୟରେ ରାତି ତାପମାତ୍ରା କ୍ରମଶଃ ଖସୁଛି। ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି ୫ଟି ସହରର ରାତି ତାପମାତ୍ର। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଆସନ୍ତା ୨ ତାରିଖବେଳକୁ ରାତି ତାପମାତ୍ରା ସମାନ୍ୟ ଉପରକୁ ଉଠିବ। ହେଲେ ଆସନ୍ତା ୫ ତାରିଖରୁ ରାଜ୍ୟରେ ଶୀତ ପ୍ରକୋପ ଆହୁରି ବଢ଼ିବ । ଏଭଳି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ। 

୨ଦିନ ହେବ ରାଜ୍ୟରେ ହାଲୁକା ଶୀତ ଅନୁଭୂତ ହେଉଛି । ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା। ଅନୁଗୁଳ ତାପମାତ୍ରା ୧୩.୮ ଡିଗ୍ରୀ ଥିବାବେଳେ ଦାରିଙ୍ଗିବାଡ଼ି ୧୪, ଫୁଲବାଣୀ ୧୪, କୋରାପୁଟ ୧୫, ଭବାନୀପାଟଣା ୧୫.୫ ଡିଗ୍ରୀ ରେକର୍ଡ ହୋଇଥିଲା । ରାଜ୍ୟର ୧୫ଟି ସହରରେ ରାତି ପାରଦ ୨୦ ଡିଗ୍ରୀରୁ କମ୍ ରହିଛି। 

ବିଶେଷ କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୧ରୁ ଦେଢ଼ ଡିଗ୍ରୀ କମ୍ ରହିଛି । ପାଣିପାଗ ବିଭାଗ କହିଛି, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ରହିଛି। ଶନିବାରକୁ ଏହା ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ବାଂଲାଦେଶ ଆଡ଼କୁ ମୁହାଁଇବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ହେଲା, ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ କିଛି ପ୍ରଭାବ ପକାଇବ ନାହିଁ ।

ତେବେ ଆସନ୍ତା ୨ ତାରିଖବେଳକୁ ସ୍ଥଳଭାଗ ଉପରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପ୍ରଭାବରେ ଆସନ୍ତା ୨ ଓ ୩ ତାରିଖବେଳକୁ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ ହାଲୁକା ବର୍ଷା ହୋଇପାରେ। ବର୍ତ୍ତମାନ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ। ପାଣିପାଗ ବୈଜ୍ଞାନିକ ଶ୍ରୀ ଦାସଙ୍କ କହିବାନୁଯାୟୀ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ଓଡ଼ିଶାରେ କିଛି ପ୍ରଭାବ ପକାଇବ ନାହିଁ।

By amfnews

Related Post