Thu. Jun 11th, 2026

ଓଡ଼ିଶା ହାତରୁ ଖସିଗଲାଣି ସୀମାନ୍ତ ଗାଁ : ଆନ୍ଧ୍ର କବ୍‌ଜାରେ ଜୁମଡ଼ାଙ୍ଗ

224 Views

ମାଲକାନଗିରି : କୋରାପୁଟ ଜିଲ୍ଲାର କୋଟିଆ ଭଳି ମାଲକାନଗିରି ଜିଲ୍ଲାର ଜୁମଡ଼ାଙ୍ଗକୁ ନିଜ ଅକ୍ତିଆରକୁ ନେଇ ସାରିଲାଣି ଆନ୍ଧ୍ର। ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଏହି ସୀମାନ୍ତ ଗାଁ ଏବେ କେବଳ କାଗଜପତ୍ରରେ ଓଡ଼ିଶା ଅଧୀନରେ ରହିଛି। ଓଡ଼ିଶା ସରକାରଙ୍କ ଯୋଜନାର କୌଣସି ଚିହ୍ନବର୍ଣ୍ଣ ଏଠାରେ ନଥିବା ବେଳେ ଆନ୍ଧ୍ରର ସବୁ ଯୋଜନା କାର୍ଯ୍ୟକାରୀ ହୋଇଥିବା ଦେଖିବାକୁ ମିଳୁଛି। ଏମିତି ଷଡ଼ଯନ୍ତ୍ର କରାଯାଇଛି ଯେ, ଏଠାକାର ଲୋକ ଓଡ଼ିଆ ଭାଷାକୁ ଏକ ପ୍ରକାର ଭୁଲି ଗଲେଣି। ପିଲାଙ୍କୁ ପ୍ରାଥମିକ ଶିକ୍ଷା ତେଲୁଗୁ ଭାଷାରେ ଦିଆଯାଉଛି।

ପୂର୍ବରୁ ରାଲେଗେଡ଼ା ପଞ୍ଚାୟତ ଅଧୀନରେ ରହିଥିଲା ଜୁମଡ଼ାଙ୍ଗ ଗାଁ। ୩ବର୍ଷ ତଳେ ଓଡ଼ିଶା ସରକାର ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ କରିବା ସମୟରେ ଧୂଳିପୁଟ ପଞ୍ଚାୟତରେ ସାମିଲ କରିଥିଲେ। କିନ୍ତୁ ଆନ୍ଧ୍ର ସୀମାନ୍ତରେ ରହିଥିବା ଏହି ଗାଁରେ ଯେମିତି ବିକାଶ ହେବା କଥା ହୋଇ ନଥିଲା। ଯାହାର ସୁଯୋଗ ନେଇ ପୂରା ଗାଁକୁ ଅକ୍ତିଆର କରି ସାରିଲେଣି ଆନ୍ଧ୍ର ସରକାର। ଗ୍ରାମବାସୀଙ୍କ ପାଇଁ ସ୍କୁଲ ଖୋଲିବା ସହ ସମସ୍ତ ମୌଳିକ ସୁବିଧା ପ୍ରତ୍ୟେକ ଘରେ ପହଞ୍ଚାଇବା ବ୍ୟବସ୍ଥା କରିଛନ୍ତି। କେବଳ ତେଲୁଗୁ ଭାଷାରେ ପାଠ ପଢ଼ାଇବା ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପାହାଡ଼ରୁ ଝରୁଥିବା ପାଣିକୁ ଗୋଟିଏ କୁଣ୍ଡରେ ରଖି ପରବର୍ତ୍ତୀ ସମୟରେ ତାହାକୁ ପାଇପ ଯୋଗେ ଯୋଗାଉଛନ୍ତି।

ବର୍ତ୍ତମାନ କେବଳ ଓଡ଼ିଶାର ମାନଚିତ୍ରରେ ଥିବା ଏହି ଗାଁରେ ଲୋକେ କିନ୍ତୁ ଆନ୍ଧ୍ର ସରକାରଙ୍କ ଗୁଣ ଗାଉଛନ୍ତି। ଗତ ୮ ବର୍ଷ ତଳେ ଏଠାରେ ଓଡ଼ିଶା ସରକାରଙ୍କ ଅଂଗନବାଡ଼ି କେନ୍ଦ୍ର ରହିଥିଲା। ତେବେ କର୍ମୀ ଜଣକ ଆନ୍ଧ୍ରକୁ ଚାଲିଯିବାରୁ କେନ୍ଦ୍ରଟି ସଂପୂର୍ଣ୍ଣ ବନ୍ଦ ହୋଇଗଲା। ଏହାପରେ ଓଡ଼ିଶା ସରକାର କୌଣସି ଗୁରୁତ୍ବ ଦେଇ ନଥିଲେ। ଅନ୍ୟପଟେ ଅବହେଳିତ ଅବସ୍ଥାରେ ରହିଥିବା ଲୋକଙ୍କୁ ପ୍ରଲୋଭିତ କରିବାକୁ ଆନ୍ଧ୍ର ସରକାର ପିଲାଙ୍କୁ ବହି, ପୋଷାକ ଇତ୍ୟାଦି ମାଗଣାରେ ଯୋଗାଇଦେଲେ। ଏଥିସହ ଆଧାର କାର୍ଡ, ରାସନ କାର୍ଡ, ବିଦ୍ୟୁତ, ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା ଇତ୍ୟାଦି ଯୋଗାଇ ଦେଲେ। କେବଳ ଏତିକିରେ ଆନ୍ଧ୍ର ସରକାର ସୀମିତ ହୋଇ ରହିନାହାନ୍ତି। ଅଧିକାଂଶ ଘର କାନ୍ଥରେ ଲାଗିଛି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡିଙ୍କ ବିରାଟ ବିରାଟ ଫଟୋ ଏବଂ ସରକାରୀ ଯୋଜନାର ବିଜ୍ଞାପନ। ହାତ ଗଣତି ଲୋକଙ୍କୁ ବାଦ ଦେଲେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏବେ ତେଲୁଗୁ ଭାଷାରେ କଥା ହେଉଛନ୍ତି। ଓଡ଼ିଶା ସରକାର ବର୍ଷ ବର୍ଷ ଧରି ଆମକୁ ଅବହେଳିତ କଲେ। ତେଣୁ ବାଧ୍ୟ ହୋଇ ଆନ୍ଧ୍ର ଦେଉଥିବା ସୁବିଧା ସୁଯୋଗ ନେଉଛୁ ବୋଲି ଲୋକେ କହିଥିଲେ।

ଆନ୍ଧ୍ର ଏହି ଗାଁକୁ ଅକ୍ତିଆର କରି ରଖିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ। କବେଳ ଏହି ଗୋଟିଏ ଗାଁ ନୁହେଁ; ଚିତ୍ରକୋଣ୍ଡା ବ୍ଲକର ସୀମାନ୍ତ ଗ୍ରାମକୁ କବ୍‌ଜା କରିବାକୁ ଆନ୍ଧ୍ର ସରକାର ପ୍ରୟାସ ଜାରି ରଖିଛନ୍ତି।

By amfnews

Related Post