Fri. Jul 3rd, 2026

ଓଲା କାର୍‌ ଚାଳକଙ୍କୁ ମାଡ଼, ଅଫିସ୍‌ରେ ଭଙ୍ଗାରୁଜା

216 Views

ଭୁବନେଶ୍ୱର : ଆଜି ଅପରାହ୍‌ଣରେ ଜଣେ ‘ଓଲା’ କାର୍‌ ଚାଳକଙ୍କୁ ପ୍ରବଳ ମାଡ଼ ହୋଇଛି। ମାଡ଼ ସହ କାର୍‌କୁ ମଧ୍ୟ ପିଟି ଭାଙ୍ଗି ଦେଇଛନ୍ତି। ସହିଦ୍‌ ନଗରରେ ଥିବା ଏଏନ୍‌ଆଇ ଟେକ୍ନୋଲୋଜିଜ୍‌ ଅଫିସ୍‌ ସାମ୍ନାରେ ଏହି ଘଟଣା ଘଟିଥିବା ବେଳେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏଏନ୍‌ଆଇ ଟେକ୍ନୋଲୋଜିଜ୍‌ ଅଫିସ୍‌ରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା ହୋଇଛି। ସହିଦ୍‌ ନଗର ଥାନା ଇନ୍‌ସ୍‌ପେକ୍ଟର ବିରଞ୍ଚି ନାରାୟଣ ପତି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି। ମାଡ଼ ଖାଇଥିବା କାର୍‌ ଚାଳକ କଟକର ଅଜୟ କୁମାର ସାସମଲ ବୋଲି ଜଣାପଡ଼ିଛି। ‌ମାଡ଼ରେ ଭାଙ୍ଗିଥିବା ଗାଡ଼ିକୁ ପୁଲିସ ଜବତ କରିଛି।

ଓଲା କାର୍‌ଚାଳକଙ୍କୁ ନେଇ ଗଠିତ ଓଡ଼ିଶା କ୍ୟାବ୍‌ସ୍‌ ୱେଲ୍‌ଫେୟାର ଆସୋସିଏସନ ବିଭିନ୍ନ ଦାବି ନେଇ ଲୋୟର ପିଏମ୍‌ଜିରେ ଧାରଣା ଦେଉଥିବା ବେଳେ ଅଜୟ କାହିଁକି ଗାଡ଼ି ଚଳାଇଲେ ବୋଲି ତାଙ୍କୁ ମାଡ଼ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି। ସେପଟେ ଏଏନ୍‌ଆଇ ଟେକ୍ନୋଲୋଜିଜ୍‌ ଅଫିସ୍‌ରେ ବ୍ୟାପକ ଭଙ୍ଗାରୁଜା ଓ ଚାଳକଙ୍କୁ ମାଡ଼ ନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ସହିଦ ନଗର ଥାନା ପୁଲିସ ୧୫ ଜଣଙ୍କୁ ଅଟକ ରଖିଛି। ଏଥିରେ କେତେକ ଓଲା ଚାଳକ ରହିଛନ୍ତି। ସୂଚନାଯୋଗ୍ୟ, ୧୧ ଦଫା ଦାବି ନେଇ ଓଡ଼ିଶା କ୍ୟାବ୍‌ ୱେଲଫେୟାର୍‌ ଆସୋସିଏସନ୍‌ ଲୋୟର ପିଏମ୍‌ଜି ଠାରେ ଆନ୍ଦୋଳନ ଜାରି ରଖିଛି।

By amfnews

Related Post