Tue. Jul 14th, 2026

ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି ହେବାର ସମସ୍ତ ସମ୍ଭାବନା ରହିଛି: ଏନ୍‌ଟିସିଏ

200 Views

ନୂଆଦିଲ୍ଲୀ  : ଦେଶ‌େର ବାଘ ଗଣନା ସମ୍ପର୍କିତ ସର୍ଭେ ରିପୋର୍ଟ ଗତକାଲି ପ୍ରକାଶ ପାଇଥିଲା। ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶାରେ ଗତ ୪ ବର୍ଷ ମଧ୍ୟରେ ଗୋଟିଏ ହେଲେ ବାଘ ସଂଖ୍ୟା ବଢ଼ିନି। ଏଥିନେଇ ପରିବେଶବିତ୍ ଓ ବନ୍ୟଜନ୍ତୁ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଥିବାବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ଦ୍ବାରା ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ବ୍ୟକ୍ତ କରାଯାଇଛି। ଏନ୍‌ଟିସିଏର ଏଡିଜି ତଥା ସଦସ୍ୟ ସଚିବ ଡକ୍ଟର ଅନୁପ କୁମାର ନାୟକ କହିଛନ୍ତି, ବର୍ତ୍ତମାନ ବାଘ ସଂଖ୍ୟାକୁ ନେଇ ପ୍ରକାଶ କରାଯାଇଥିବା ରିପୋର୍ଟ ସଠିକ୍ ଏବଂ ଏହା ଉପରେ ସନ୍ଦେହ ବ୍ୟକ୍ତ କରାଯିବା ଉଚିତ ନୁହେଁ।

ସାରା ବିଶ୍ବ ଭାରତର ବାଘ ଗଣନା ରିପୋର୍ଟକୁ ପ୍ରଶଂସା କରିଛି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ବାଘ ସଂଖ୍ୟା ନୈରାଶ୍ୟଜନକ ରହିଛି ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ ଏଭଲି ଆକଳନ କରିବା ଠିକ୍ ହେବ ନାହିଁ। ବାଘ ସଂଖ୍ୟା ବୃଦ୍ଧି ପାଇବା ବାଘର ଜନ୍ମ ଓ ମୃତ୍ୟୁ ହାରର ସନ୍ତୁଳନ ଉପରେ ନିର୍ଭର କରିଥାଏ। ଓଡ଼ିଶାରେ ସୋର୍ସ‌୍ ଏରିଆ ବହୁତ କମ୍ ରହିଛି। ଶିମିଳିପାଳର ସ୍ଥିତି ସନ୍ତୋଷଜନକ ରହିଥିବା ବେଳେ ସୁନାବେଢ଼ାରେ ସୋର୍ସ ଏରିଆ କମ୍ ରହିଛି। ତେବେ ସଂରକ୍ଷଣ ବ୍ୟବସ୍ଥାକୁ ମଜବୁତ କରିବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି। ରାଜ୍ୟମାନଙ୍କ ଦ୍ବାରା ଏନ୍‌ଟିସିଏର ପରାମର୍ଶ ଅନ୍ତର୍ଗତ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଥିବା ସେ କହିଥିଲେ। ଓଡ଼ିଶାରେ ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ଥିବା ଗାଁ ଗୁଡ଼ିକର ରିଲୋକେସନ କରାଯାଇଛି। ହେଲେ ଏହାର ଫଳାଫଳ ବର୍ତ୍ତମାନ ଏନ୍‌ଟିସିଏ ପାଖକୁ ଆସିନାହିଁ। ଫଳାଫଳା ଆସିବା ପରେ ଏହା କେତେ ପ୍ରଭାବଶାଳୀ ହୋଇଛି ବୋଲି ଜଣାପଡ଼ିବ। ବାଘ ଗଣନାରେ କୌଣସି ତ୍ରୁଟି ନାହିଁ ବୋଲି ସେ ଦୃଢ଼ୋକ୍ତି ବ‌ାଢ଼ିଛନ୍ତି।

By amfnews

Related Post