Fri. May 22nd, 2026

ଓଡ଼ିଶାରେ କରୋନା ସ୍ଥିତି: ୭ଟି ଜିଲ୍ଲାରେ ଅଛନ୍ତି ପଜିଟିଭ, ସର୍ବାଧିକ ଖୋର୍ଦ୍ଧାରେ

169 Views

ଭୁବନେଶ୍ୱର: ରାଜ୍ୟରେ କ୍ରମଶଃ କାୟାବିସ୍ତାର କରୁଛି କରୋନା ଭୂତାଣୁ । ଗତକାଲି ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୪୨ରେ ପହଞ୍ଚିଛି। ଆଉ ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ବର। କରୋନା ପାଇଁ ରାଜଧାନୀର ଗୋଟିଏ ପରେ ଗୋଟିଏ ଅଂଚଳକୁ ସିଲ କରାଯାଉଥିବାବେଳେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ବି ସତର୍କତା ଅବଲମ୍ବନ କରାଯାଉଛି | ଲକଡାଉନ କଟକଣାକୁ କିଭଳି ସମସ୍ତେ ମାନିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଥିବାବେଳେ ଅମାନିଆଙ୍କୁ ବି ସାବାଡ଼ କରାଯାଉଛି |

ଏହି ଖବର ଲେଖାଯିବା ଯାଏଁ ଏ ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲାରେ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏସବୁ ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, କଟକ, କଳାହାଣ୍ଡି, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ପୁରୀ | ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଦ୍ଵିତୀୟ ସ୍ଥାନରେ ଅଛି ଭଦ୍ରକ |

ଭଦ୍ରକରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକ, କଳାହାଣ୍ଡି, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ସୁସ୍ଥ ହୋଇସାରିଛନ୍ତି | ସେହିପରି ସମୁଦାୟ ୨୪୪୧ଟି ନମୁନା ପରୀକ୍ଷା ହୋଇଥିବାବେଳେ ୩୯ ଜଣ ପଜିଟିଭ ଏବେ ବି ସକ୍ରିୟ ଅଛନ୍ତି |

ଏଠାରେ ସୂଚନା ଥାଉ କି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ପ୍ରଥମ କରୋନାରେ ମୃତ୍ୟୁବରଣ କରିଥିବା ଭୁବନେଶ୍ୱର ଝାରପଡା ଅଂଚଳର ୭୨ ବର୍ଷୀୟ ବ୍ୟକ୍ତି ଚଳିତ ମାସ ତଥା ଏପ୍ରିଲ ୪ ତାରିଖରେ  ଅସୁସ୍ଥତା କାରଣରୁ ଏମ୍ସରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଉଥିବା ସହ ସେ ଜଣେ ବ୍ଲଡ ପ୍ରେସର ରୋଗୀ ମଧ୍ୟ ଥିଲେ । ତେବେ ଚିକିତ୍ସା ଚାଲି ଥିବା ସମୟରେ ତାଙ୍କର ଏପ୍ରିଲ ୬ ତାରିଖରେ ମୃତ୍ୟୁ ଘଟିଥିଲା |

By amfnews

Related Post