Sun. Jul 5th, 2026

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଭାଗୁ ଗୁରୁତର

214 Views

ପୁରୀ : ଗତକାଲି ବିଳମ୍ବିତ ରାତିରେ ପିପିଲି-ନିମାପଡ଼ା ତାରକାଜ ଛକ ଓଭରବ୍ରିଜ୍‌ରେ ପୁଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି । ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତା’ଠାରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଗୁଳି ଓ ବାଇକ୍‌ ଜବତ କରାଯାଇଛି। ଆହତ ଭାଗୁକୁ ପ୍ରଥମେ ପିପିଲି ମେଡିକାଲକୁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଭାଗୁ ନାଁରେ ବହୁ ଅପରାଧିକ ମାମଲା ରହିଛି।

ପୁଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ୫ ବର୍ଷରୁ ଊର୍ଦ୍ଧ୍ୱ ହେବ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଛି। ୨୦୦୪ ମସିହାରୁ ତା’ ନାଁରେ ବହୁ ସଙ୍ଗିନ୍ ମାମଲା ରହିଛି। ଗତକାଲି ରାତିରେ ସେ ନିମାପଡ଼ା ପଟୁ ଆସୁଥିବା ଖବର ପାଇ ତାକୁ ଧରିବାକୁ ଜାଲ ବିଛା ଯାଇଥିଲା। ପିପିଲି ଥାନା ଭାରିପ୍ରାପ୍ତ ଅଧିକାରୀ ଓ ତାଳବଣିଆ ଫାଣ୍ଡି ଅଧିକାରୀଙ୍କ ସହିତ ଏକ ଟିମ୍ ପିପିଲି-ନିମାପଡ଼ା ଓଭରବ୍ରିଜକୁ ପ୍ରଥମେ ନାକାବନ୍ଦୀ କରି ଦେଇଥିଲେ।  ଭାଗୁ ବ୍ରିଜ୍‌ ଉପରକୁ ଆସିବା ପରେ ପୁଲିସ୍‌ ତାକୁ ଧରିବାକୁ ଚେଷ୍ଟା କରିଥିଲା। ଏହା ଜାଣିପାରି ସେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ଏହା ପରେ ପୁଲିସ୍‌ ପାଲଟା ଜବାବ ଦେଇଥିଲା। ପୁଲିସ୍‌ ଗୁଳିରେ ସେ ଆହତ ହୋଇଥିଲା। ପୁରୀକୁ ଅପରାଧମୁକ୍ତ କରିବାକୁ ଏପରି ପଦକ୍ଷେପ ନିଆଯାଉଥିବା ଏସ୍‌ପି ସୂଚନା ଦେଇଛନ୍ତି।

By amfnews

Related Post