Sun. Oct 18th, 2026

ଏଟିଏମ୍‌ ଲୁଟ୍ ଉଦ୍ୟମ କରି ଦୁର୍ବୃତ୍ତ ଫେରାର

340 Views

କୋଣାର୍କ : ଗତକାଲି ବିଳମ୍ବିତ ରାତିରେ କୋଣାର୍କ ଥାନା ଛକଠାରୁ ଅଳ୍ପଦୂରରେ ଥିବା ଏକ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି। ତେବେ ଦୁର୍ବୃତ୍ତମାନେ ଏଟିଏମ୍‌ ତାଡ଼ି ଦେଇଥିଲେ ମଧ୍ୟ ତା ମଧ୍ୟରୁ ଟଙ୍କା ନେଇ ପାରି ନାହାନ୍ତି। କିନ୍ତୁ ଏଟିଏମ୍‌ଟିକୁ ତାଡ଼ିବା ସମୟରେ ତାହା କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଲୁଟେରାଙ୍କର ପୁଲିସ୍‌ ଟେର୍‌ ପାଇ ପାରି ନାହିଁ।

ସିସି କ୍ୟାମେରାରୁ ମିଳିଥିବା ଭିଡିଓ ଚିତ୍ରରେ ତିନିଜଣ ଯୁବକ ଏହି ଏଟିଏମ୍‌ ଲୁଟ୍‌ ଉଦ୍ୟମ ଘଟଣାରେ ସଂପୃକ୍ତ ଥିବାର ଦେଖାଯାଇଛି। ୧୩ ତାରିଖ ରାତି ୩ଟା ୪୧ରେ ପ୍ରଥମେ ଦୁଇଜଣ ଯୁବକ ଥାନା ଛକ ନିକଟରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଏଟିଏମ୍‌ ମଧ୍ୟରେ ପ୍ରବେଶ କରୁଥିବା ସେଠାରେ ଥିବା ସିସି କ୍ୟାମେରାରେ ରେକର୍ଡିଂ ହୋଇଛି। କିଛି ସମୟ ପରେ ଅନ୍ୟ ଜଣେ ବଳିଷ୍ଠ ଯୁବକ ତାଙ୍କୁ ଆସି ସହଯୋଗ କରିଥିବାର ଦେଖିବାକୁ ମିଳିଛି। ଗୋଟିଏ ସ୍କୃ ଡ୍ରାଇଭର୍‌ରେ ଦୁର୍ବୃତ୍ତମାନେ ଏଟିଏମ୍‌ର ବିଭିନ୍ନ ଯନ୍ତ୍ରାଂଶ ଖୋଲି ଏଟିଏମ୍‌ରୁ ଟଙ୍କାନେବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନାହାନ୍ତି। ରାତି ୩ଟା ୫୮ ପର୍ଯ୍ୟନ୍ତ ଅକ୍ଳାନ୍ତ ପରିଶ୍ରମ କରିବା ପରେ ଦୁର୍ବୃତ୍ତମାନେ ଏଟିଏମ ଖୋଲି ଟଙ୍କା ନ ନେଇ ପାରିବାରୁ ଏଟିଏମ୍‌ର ଡିସ୍‌ପ୍ଲେ ମନିଟରକୁ ତାଡ଼ି ଦେଇଥିବାର ଦେଖିବାକୁ ମିଳିଛି। ମନିଟର୍‌କୁ ତାଡ଼ିବା ପରେ ସେମାନେ ଏଟିଏମରୁ ବାହାରକୁ ପଳାଇ ଆସିଥିବାର ମଧ୍ୟ ରେକର୍ଡିଂ ହୋଇଛି।

By amfnews

Related Post